ନୂଆଦିଲ୍ଲୀ: ଯାତ୍ରୀଙ୍କୁ ଅତ୍ୟାଧୁନିକ ସୁବିଧା ଯୋଗାଇଦେବା ଲକ୍ଷ୍ୟରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ଦେଶର ୪୦ଟି ରେଳ ଷ୍ଟେସନର ଆଧୁନିକୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୁନଃବିକଶିତ ହେବାକୁ ଥିବା ଏହି ଷ୍ଟେସନ ମଧ୍ୟରେ ଓଡ଼ିଶାର କଟକ, ଭୁବନେଶ୍ୱର ଓ ପୁରୀ ସାମିଲ ଥିବା ଜଣାପଡିଛି । ଇତିମଧ୍ୟରେ କଟକ ସମେତ ୧୪ଟି ଷ୍ଟେସନର ଆଧୁନିକୀକରଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଆସନ୍ତା ଚାରି ପାଞ୍ଚମାସ ମଧ୍ୟରେ ଟେଣ୍ଡର ଚୂଡାନ୍ତ ହେବ ବୋଲି ଆଶା କରାଯାଉଛି । ଦେଶବ୍ୟାପୀ ରେଳ ଷ୍ଟେସନର ଆଧୁନିକୀକରଣ ଫଳରେ ନିଯୁକ୍ତିି ସୁଯୋଗ ସୃଷ୍ଟି ହେବାସହିତ ଆର୍ôଥକ ବିକାଶରେ ସୁଧାର ଆସିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି । ପୁନଃବିକଶିତ ଯୋଜନା ଅନୁଯାୟୀ ସଂପୃକ୍ତ ରେଳ ଷ୍ଟେସନରେ ଅଧିକ ସ୍ଥାନ ଥିବା ରୁଫ୍ ପ୍ଲାଜା ସମେତ ଫୁଡ୍କୋର୍ଟ, ଅତ୍ୟାଧୁନିକ ପ୍ରତୀକ୍ଷାଳୟ, ପିଲାଙ୍କ ଖେଳିବା ସ୍ଥାନର ବ୍ୟବସ୍ଥା କରାଯିବ । ଏଥିସହିତ ମେଟ୍ରୋ ଓ ବସ୍ ଭଳି ବିଭିନ୍ନ ପରିବହନ ମାଧ୍ୟମକୁ ରେଳ ଷ୍ଟେସନ ସହ ଯୋଡିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଷ୍ଟେସନ ଭିତ୍ତିଭୂମି ନିର୍ମାଣ ସମୟରେ ସବୁଜ ଅଟ୍ଟାଳିକା ଜ୍ଞାନକୌଶଳ ଅବଲମ୍ବନ କରାଯିବ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯିବ । ସଂପୃକ୍ତ ଷ୍ଟେସନ ନିକଟରେ ‘ସିଟି ସେଣ୍ଟର’ ଭଳି ପରିବେଶ ସୃଷ୍ଟି କରାଯିବ ଯାହାଫଳରେ ରେଳଯାତ୍ରୀ ଓ ସାଧାରଣ ଜନତା ଉପକୃତ ହୋଇପାରିବେ ।