କୋଚି : କେରଳରେ ଜଣେ ୧୯ ବର୍ଷୀୟା ମଡେଲ୍ଙ୍କୁ ଚଳନ୍ତା କାର୍ରେ ଗଣବଳାତ୍କାର କରାଯାଇଛି । ଅଭିଯୋଗ ପରେ ପୋଲିସ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ସୂଚନା ମୁତାବକ, କୋଡୁଙ୍ଗାଲୁର ନିବାସୀ ୩ ଜଣ ଅଭିଯୁକ୍ତ ମଡେଲଙ୍କୁ କାର୍ରେ ବଳାତ୍କାର କରିଥିଲେ । କେରଳର କସରାଗୋଡରେ ପୀଡ଼ିତାଙ୍କ ଘର । ପୀଡ଼ିତା କାକ୍କାନାଡ଼ରେ ରହୁଥିଲେ ।
ତାଙ୍କୁ ଜଣେ ରାଜସ୍ଥାନୀ ବନ୍ଧୁ ଏକ ଡିଜେ ପାର୍ଟିକୁ ନିମନ୍ତ୍ରଣ କରିଥିଲେ । ଏହାପରେ ବନ୍ଧୁ ଜଣକ ତାଙ୍କୁ ଅଭିଯୁକ୍ତମାନଙ୍କ ସହ ପରିଚୟ କରାଇଥିଲେ । ପାର୍ଟି ଶେଷ ହେବା ପରେ ମଡେଲ୍ଙ୍କୁ ୪ ଜଣ ଅଭିଯୁକ୍ତ ନିଜ କାର୍ରେ ନେଇ ଛାଡ଼ିଦେବେ ବୋଲି କହିଥିଲେ । ସେ ରାଜି ହୋଇ କାର୍ରେ ବସିଥିଲେ । ତେବେ କିଛି ବାଟ ଯିବା ପରେ ମଡେଲ୍ଙ୍କୁ ୩ ଜଣ ମିଶି ଚଳନ୍ତା କାର୍ ମଧ୍ୟରେ ବଳାତ୍କାର କରିଥିଲେ । ଏହାପରେ ସେମାନେ ପୀଡ଼ିତାଙ୍କୁ କାକ୍କାନାଡ଼ରେ ଛାଡ଼ି ଚାଲିଯାଇଥିଲେ।
ଡାକ୍ତରୀ ଯାଞ୍ଚରୁ ଯୁବତୀ ଜଣକ ଆହତ ଥିବା ଜଣାପଡ଼ିଛି । ଏନେଇ ଘରୋଇ ହସ୍ପିଟାଲ ଦ୍ୱାରା ଖବର ଦିଆଯିବା ପରେ ଘଟଣା ସାମ୍ନାକୁ ଆସିଥିଲା । ଶୁକ୍ରବାର ସକାଳେ ପୀଡ଼ିତାଙ୍କୁ ତାଙ୍କର ଜଣେ ବନ୍ଧୁ ଉକ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଘଟଣା ଦିନ ପୀଡ଼ିତା ଏକ ବାର୍ରେ ମଦ୍ୟପାନ କରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।