ନୂଆଦିଲ୍ଲୀ: ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷ୍ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କ ସହିତ କଥା ହୋଇଛନ୍ତି । ରୁଷ୍-ୟକ୍ରେନ୍ ଯୁଦ୍ଧ ପରିପ୍ରେକ୍ଷୀରେ ଉଭୟ ନେତା ଦ୍ୱିତୀୟ ଥର ପାଇଁ କଥା ହୋଇଛନ୍ତି । ୟୁକ୍ରେନ୍ର ଖାର୍କିଭ୍ ସହରରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଭାବେ ନିଜ ଦେଶକୁ ଫେରାଇ ଆଣିବା ଆଜିର ୨୫ ମିନିଟ୍ ଅବଧିର କଥାବାର୍ତ୍ତାର ପ୍ରମୁଖ ପ୍ରସଙ୍ଗ ଥିଲା ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ୟୁକ୍ରେନ୍ର ଖାର୍କିଭ୍ ସହରକୁ ନିଜ କବ୍ଜାକୁ ନେଇସାରିଛି ବୋଲି ରୁଷ୍ ଦାବି କରିଛି । ଏବେ ମଧ୍ୟ ଖାର୍କିଭ୍ ସହରରେ ଭାରତୀୟ ଛାତ୍ର ଫସି ରହିଛନ୍ତି ।
ୟୁକ୍ରେନ୍ର ଖାର୍କିଭ୍ ସହର ଉପରେ ରୁଷ୍ ପକ୍ଷରୁ ଆଖିବୁଜା ଆକ୍ରମଣ ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ସହରରେ ଥିବା ସବୁ ଭାରତୀୟଙ୍କୁ ତୁରନ୍ତ ଖାର୍କିଭ୍ ଛାଡି ଅନ୍ୟତ୍ର ପଳାୟନ କରିବାକୁ ୟୁକ୍ରେନ୍ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଆଜି ସନ୍ଧ୍ୟା ୬ଟା (ୟୁକ୍ରେନ୍ ସମୟ) ସୁଦ୍ଧା ଖାର୍କିଭ୍ ଛାଡି ନିକଟସ୍ଥ ପିସୋଚିନ୍, ବାବାଇ କିମ୍ବା ବେଜ୍ଲ୍ୟୁଦିଭ୍କା ସହରକୁ ପଳାଇଯିବାକୁ ଦୂତାବାସ ପକ୍ଷରୁ ଜାରି କରାଯାଇଥିବା ଟ୍ୱିଟ୍ରେ କୁହାଯାଇଛି । ଏହି ତିନିଟି ସହର ଖାର୍କିଭ୍ଠାରୁ ମାତ୍ର ୧୧/୧୬ କିମି ଦୂରରେ ଅବସ୍ଥିତ ହୋଇଥିବାରୁ ସେଠାକୁ ଯିବାରେ ସେଭଳି ଗୁରୁତର ଅସୁବିଧା ହେବ ନାହିଁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି । ଖାର୍କିଭ୍ ସହର ଅବସ୍ଥା ଆଦୌ ଭଲ ନାହିଁ, ଆଜି ରାତି ସୁଦ୍ଧା କ’ଣ ଘଟିବ, ତାହା ଅନିଶ୍ଚିତ ହୋଇପଡିଥିବାରୁ ଭାରତୀୟମାନେ ନିଜ ସୁରକ୍ଷା ପ୍ରତି ଅଗ୍ରାଧିକାର ଦେବାକୁ ଟ୍ୱିଟ୍ରେ ତାଗିଦା ମଧ୍ୟ କରାଯାଇଛି । ଅପରପକ୍ଷରେ ରୁଷ୍ ଗୁଇନ୍ଦା ବିଭାଗର ସୂଚନାକୁ ଆଧାର କରି ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରକୁ ରୁଷୀୟ ସେନା କିଛିଦିନ ଧରି ଟାର୍ଗେଟ କରୁଥିବାରୁ ସହରରେ ପହିବହନ ବ୍ୟବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡିଛି । ଖାର୍କିଭ୍ ସଡକରେ କୌଣସି ଗାଡି ମୋଟର ଚଳାଚଳ କରୁନଥିବାବେଳେ କେବଳ ଟ୍ରେନ୍ ହିଁ ଏକମାତ୍ର ଭରସା ପାଲଟିଛି । ତେବେ ବାସଭବନରୁ ରେଳଷ୍ଟେସନକୁ ଯିବା ମଧ୍ୟ କଷ୍ଟକର ହୋଇପଡିଛି ବୋଲି ସେଠାରେ ଅଟକିଥିବା ଭାରତୀୟ ଛାତ୍ରମାନେ କହିଛନ୍ତି । ଷ୍ଟେସନରେ ମଧ୍ୟ ଅବସ୍ଥା ନର୍କ ସମାନ ହୋଇପଡିଛି । ଟ୍ରେନ୍ ଛିଡା ହୋଇଥିଲେ ସୁଦ୍ଧା ସବୁ ଦ୍ୱାରକୁ ଭିତରପଟୁ ବନ୍ଦ କରାଯାଇଛି । କେବଳ ୟୁକ୍ରେନ୍ ନାଗରିକଙ୍କ ପାଇଁ ଗୋଟିଏ ଦୁଇଟି ଦ୍ୱାର ଖୋଲା ରଖାଯାଇଥିବା ଜଣାପଡିଛି । ଇତିମଧ୍ୟରେ କିଏଭ୍ସ୍ଥିତ ଭାରତୀୟ ଦୂତାବାସକୁ ବନ୍ଦ କରାଯାଇଥିବାବେଳେ ରାଷ୍ଟ୍ରଦୂତଙ୍କ ସମେତ ସବୁ ଦୂତାବାସ କର୍ମଚାରୀ ୟୁକ୍ରେନ୍ର ଏଲଭିଭ୍ ସହରକୁ ଚାଲିଯାଇଛନ୍ତି ।