ନୂଆଦିଲ୍ଲୀ: ମିଜୋରାମରେ ରେଳ ପୋଲ ଦୁର୍ଘଟଣା ମାମଲାର ତଦନ୍ତ ପାଇଁ ରେଳ ମନ୍ତ୍ରଣାଳୟ ଏକ ଚାରିଜଣିଆ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛି । ଏକମାସ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ରେଳବାଇ ଗୁରୁବାର ଏକ ଆଦେଶ ଜାରୀକରି କହିଛି । ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁସାରେ ଏହି କମିଟିରେ ଆର୍ଡିଏସ୍ଓର ବିପି ଅବସ୍ଥୀ, ଆଇଆଇଟି ଦିଲ୍ଲୀର ଡ. ଦୀପ୍ତିରଞ୍ଜନ ସାହୁ, ଆଇଆର୍ଆଇସିଇଏନ୍ର ଶରଦ କୁମାର ଅଗ୍ରୱାଲ୍ ଏବଂ ନର୍ଥ-ଇଷ୍ଟ୍ ରେଳବାଇର ମୁଖ୍ୟ ବ୍ରିଜ୍ ଇଞ୍ଜିନିୟର୍ ସନ୍ଦୀନ ଶର୍ମା ସଦସ୍ୟ ଅଛନ୍ତି ।
ସୂଚନାଯୋଗ୍ୟ, ମିଜୋରାମ ରାଜଧାନୀ ଆଇଜଲ୍ଠାରୁ ୨୦ କିମି ଦୂର ସାୟରାଙ୍ଗରେ ଅଗଷ୍ଟ ୨୩ ତାରିଖ ସକାଳ ୧୦ଟା ବେଳେ କୁରୁଙ୍ଗ୍ ନଦୀ ଉପରେ ନିର୍ମାଣାଧୀନ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା । ଏହି ସମୟରେ ପୋଲ ଉପରେ ପଶ୍ଚିମବଙ୍ଗର ୨୬ ଜଣ ଶ୍ରମିକ କାମ କରୁଥିଲେ । ୨୨ ଜଣଙ୍କ ଶବ ଉଦ୍ଧାର କରାଯାଇଥିବା ବେଳେ ତିନିଜଣ ଆହତଙ୍କର ହସ୍ପିଟାଲ୍ରେ ଚିକିତ୍ସା ଚାଲିଛି । ଜଣେ ଶ୍ରମିକଙ୍କର ଏବେ ବି ତଲାସ ଚାଲିଛି ।