ଇସଲାମାବାଦ: ପାକିସ୍ତାନରେ ପଶି ମିସାଇଲ ମାଡ଼ କଲା ଇରାନ । ପାକିସ୍ତାନ-ଇରାନ ସୀମାରେ ଥିବା ବାଲୁଚିସ୍ତାନରେ ସୁନ୍ନି ଆତଙ୍କୀ ଗୋଷ୍ଠୀକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଜୈସ ଅଲ୍-ଅଦଲ ଏବଂ ଅନ୍ୟ ଆତଙ୍କୀ ସଂଗଠନର ଆଡ୍ଡାକୁ ଟାର୍ଗେଟ କରି ଘନ ଘନ ମିସାଇଲ ଏବଂ ଡ୍ରୋନ ଆକ୍ରମଣ କରିଛି ଇରାନ ।
ଆକ୍ରମଣରେ ପାକିସ୍ତାନରେ ସ୍ଥିତ ଜୈସ୍ ଅଲ-ଅଦଲ ଗୋଷ୍ଠୀର ଦୁଇଟି ଗୁରୁତ୍ବପୂର୍ଣ୍ଣ ମୁଖ୍ୟାଳୟ ନଷ୍ଟ ହୋଇଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଇରାନର ଏଭଳି ବାୟୁସୀମା ଉଲ୍ଲଙ୍ଘନକୁ ପାକିସ୍ତାନ କଡ଼ା ନିନ୍ଦା କରିବା ସହ ଆକ୍ରମଣରେ ଦୁଇ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ।
ଆକ୍ରମଣ ନେଇ ପାକ୍ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟ ଦେଇଛି ଯେ, ଦେଶର ସାର୍ବଭୌମତ୍ବର ଉଲ୍ଲଙ୍ଘନ ଆଦୌ ଗ୍ରହଣୀୟ ନୁହେଁ । ଏହାର ପରିଣାମ ଗୁରୁତର ହେବ । ଦୁଇ ଦେଶ ମଧ୍ୟରେ ଯୋଗାଯୋଗର ଅନେକ ଚ୍ୟାନେଲ ଥାଇ ମଧ୍ୟ ଇରାନ ଏଭଳି ପଦକ୍ଷେପ ନେଇଛି ।
ପାକିସ୍ତାନ ମାଟିରେ ଇରାନର ଏଭଳି ଷ୍ଟ୍ରାଇକ ଏବଂ ବାୟୁସୀମା ଉଲ୍ଲଙ୍ଘନକୁ ଆମେ କଡ଼ା ନିନ୍ଦା କରୁଛୁ । ଇରାନର ମିଶାଇଲ ଓ ଡ୍ରୋନ ଆକ୍ରମଣରେ ୨ଟି ନିରୀହ ଶିଶୁଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ନାବାଳିକା ଆହତ ହୋଇଛନ୍ତି । ତେବେ ପାକିସ୍ତାନ ଭଳି ପରମାଣୁ ଶକ୍ତି ସମ୍ପନ୍ନ ଦେଶରେ ପଶି ଇରାନ ମିସାଇଲ ଆକ୍ରମଣ କରିବା ପାକ୍ର ସୁରକ୍ଷାକୁ ବିପଦରେ ପକାଇଛି ।