ଫୁଲବାଣୀ: ୨୦୧୭ରେ ସଂଗଟିତ ଏକ ଅପ୍ରାକୃତିକ ଯୌନ ନିର୍ଯାତନା ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକସୋ କୋର୍ଟର ବିଚାରପତି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏଥି ସହ ଅଭିଯୁକ୍ତକୁ ୧ ଲକ୍ଷ ୭୫,୦୦୦ ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି ଅଦାଲତ । ଜୋରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ୨ ବର୍ଷ ୩ ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ଖଜୁରୀପଡା ଥାନା ଅଞ୍ଚଳର ଜଗତ କିଶୋର ସେଠୀ(୨୦) । ସୂଚନା ଅନୁସାରେ ସପ୍ତମ ଶ୍ରେଣୀରେ ପଢୁଥିବା ଜନୈକ ୧୨ ବର୍ଷର ନାବାଳକ ଗତ ୨୦୧୭ ଅକ୍ଟୋବର ୨୫ ତାରିଖ ଅପରାହ୍ନରେ ପଡିଆକୁ ଖେଳିବାକୁ ଯାଇଥିଲା । ଅଭିଯୁକ୍ତ ଜଗତ ପୀଡିତକୁ ଡାକି ସାଇକେଲ ଆଣିବା ବାହାନା କରି ପାଖ ଜଙ୍ଗଲକୁ ନେଇଯାଇ ଛୁରୀ ଦେଖାଇ ଧମକ ଦେବା ପରେ ତା ସହ ଦୁଷ୍କର୍ମ କରିଥିଲା । ଏକଥା କାହାକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ପର ଦିନ ଏ ନେଇ ପିଡୀତଙ୍କ ପକ୍ଷରୁ ଖଜୁରୀପଡ଼ା ଥାନାରେ ଏତଲା ଦିଆ ଯାଇଥିଲା । ପୁଲିସ ଏକ ମାମାଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଆଜି ଏହି ମାମଲାର ବିଚାର କରି ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ୍ ଏବଂ ପୀଡିତର ବୟାନକୁ ଭିତ୍ତି କରି ଫୁଲବାଣୀ ଫାଷ୍ଟ ଟ୍ରାକ କୋର୍ଟର ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଉପରୋକ୍ତ ରାୟ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।