ବ୍ରହ୍ମପୁର: ଦୁଇ ଜଣ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ କରିବା ମାମଲାର ଆଜି ସ୍ୱତନ୍ତ୍ର ଫାଷ୍ଟଟ୍ରକ୍ କୋର୍ଟ ଜଜ୍ ଗଣେଶ୍ୱର ପତି ଶୁଣାଣି କରିଛନ୍ତି । ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି ଗୋଳନ୍ଥରା ଥାନା ଗୋବିନ୍ଦବିହାରର ଅଭିଯୁକ୍ତ ବୁଡ଼ୁ ମଲାଣ(୩୨)କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ଉଭୟ ପୀଡ଼ିତାଙ୍କୁ ୪ଲକ୍ଷ ଲେଖାଏଁ ଆର୍ôଥକ ସହାୟତା ପ୍ରଦାନ କରିବାକୁ କୋର୍ଟ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୀର୍ଘ ୮ବର୍ଷ ପରେ ଆଜି କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୦୧୫ ଏପ୍ରିଲ୍ ୨ ତାରିଖରେ ଦୁଇ ଜଣ ନାବାଳିକା ଭଉଣୀ ପ୍ରାତଃ ଭ୍ରମଣ ସାରି ଘରକୁ ସାଇକେଲରେ ଫେରୁଥିଲେ । ଏହି ସମୟରେ ଅଭିଯୁକ୍ତ ତଥା ଟ୍ରାକ୍ଟର୍ ଡ୍ରାଇଭର୍ ବୁଡ଼ୁ ଉଭୟଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟ ଭଉଣୀ ତଳେ ପଡ଼ିଯାଇଥିଲେ । ଏହା ପରେ ବୁଡୁ ଗୋବିନ୍ଦବିହାର ରେଳ ଲାଇନ୍ ନିକଟକୁ ନେଇ ଜଣଙ୍କ ସହିତ ଦୁଷ୍କର୍ମ କରିଥିଲା । ଏହା ଦେଖି ଅନ୍ୟ ସମ୍ପର୍କୀୟ ଭଉଣୀ ପ୍ରତିବାଦ କରିବା ସହ ବୁଡ଼ୁ ଉପରକୁ ପଥର ଫିଙ୍ଗିଥିଲେ । ଏଥିରେ ବୁଡ଼ୁ ଉତ୍ତ୍ୟକ୍ତ ହୋଇ ତାଙ୍କ ସହିତ ମଧ୍ୟ ଦୁଷ୍କର୍ମ କରିଥିଲା ।
ଘଟଣା ପରେ ଅଭିଯୁକ୍ତ ବୁଡ଼ୁ ସେଠାରୁ ଚମ୍ପଟ ମାରିଥିଲା । ଦୁଇଭଉଣୀ ଅଚେତ ଅବସ୍ଥାରେ ସେଠାରେ ପଡ଼ି ରହିଥିବା ବେଳେ ଜଣେ ଅଙ୍ଗନବାଡ଼ି କର୍ମୀ ଉଭୟଙ୍କୁ ଉଦ୍ଧାର କରି ତାଙ୍କର ଘରେ ଛାଡ଼ିଥିଲେ । ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଗୋଳନ୍ଥରା ଥାନାରେ କରିଥିଲେ । ତାଙ୍କ ଅଭିଯୋଗକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପରେ ପୁଲିସ ଉକ୍ତ ମାମଲାରେ ଅଭିଯୁକ୍ତ ବୁଡ଼ୁକୁ ଘଟଣା ଦିନ ହିଁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଗିରଫ ପର ଠାରୁ ସେ ଆଜି ପର୍ଯ୍ୟନ୍ତ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲେ । ତତ୍କାଳୀନ ସଦର ଏସ୍ଡିପିଓ ହରିହର ପାଣି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । ଏହି ମାମଲାର ବିଚାରଣା ବେଳେ ୨୮ଜଣ ସାକ୍ଷୀଙ୍କ ବୟାନ୍ ରେକର୍ଡ଼ କରାଯାଇଥିଲା । କୋର୍ଟ ଉକ୍ତ ମାମଲାର ଶୁଣାଣି କରି ଆଜି ଅଭିଯୁକ୍ତ ବୁଡ଼ୁକୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ମୋହନ ସିଙ୍ଗାରୀ ଓ ମୁଦାଲାଙ୍କ ତରଫରୁ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ ।