24.1 C
Bhubaneswar
Saturday, March 28, 2026
Homeଓଡିଶାଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା କଲେ ସମବାୟ ମନ୍ତ୍ରୀ

ଖରିଫ ଧାନ ସଂଗ୍ରହ ପ୍ରସ୍ତୁତି ସମୀକ୍ଷା କଲେ ସମବାୟ ମନ୍ତ୍ରୀ

*ଦଲାଲମୁକ୍ତ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ

*କଟନୀ-ଛଟନୀରେ ପଡ଼ିବ ପୂର୍ଣ୍ଣଛେଦ, ସ୍ୱଚ୍ଛତାର ସହ ହେବ ଧାନର ଏଫ୍.ଏ.କ୍ୟୁ ମାନ ପରୀକ୍ଷା
*୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଯିବ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କା

ଭୁବନେଶ୍ୱର, : ସମବାୟ ବିଭାଗ ସମ୍ମିଳନୀ କକ୍ଷରେ ଆଭାଷୀ ଯୋଗେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଚଳିତ ଖରିଫ୍ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ଦଲାଲମୁକ୍ତ ଓ ଦୁର୍ନୀତିମୁକ୍ତ ଧାନ ସଂଗ୍ରହ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କଟନୀ-ଛଟନୀରେ ପୂର୍ଣ୍ଣଛେଦ ଟାଣିବା ସହ ଦୃଢ଼ ତଦାରଖ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି । ପ୍ରଥମଥର ପାଇଁ ରାଜ୍ୟ ସରକାର ଧାନ କ୍ୱିଂଟାଲ୍ ପିଛା ୩୧୦୦ ଟଙ୍କା ପ୍ରଦାନ କରିବେ । ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ସମ୍ପୂର୍ଣ୍ଣ ଅର୍ଥରାଶି ପଇଠ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ସମବାୟ ମନ୍ତ୍ରୀ ।

ଧାନ ସଂଗ୍ରହ ପୂର୍ବରୁ ଶସ୍ୟର ଏଫ୍.ଏ.କ୍ୟୁ ମାନ ପରୀକ୍ଷା ହେବ । ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଧାନର ଗୁଣବତ୍ତା ପରୀକ୍ଷା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ଓ ମେସିନ୍ ଯୋଗାଇ ଦେବ । ସେହିପରି ଧାନର ମାନ ନିର୍ଣ୍ଣୟ କରିବା ପାଇଁ ୨୦୦ଟି ବୃହତ୍ତ ମଣ୍ଡିରେ ଅଟୋମେଟିକ ଗ୍ରେନ ଆନାଲଇଜର ବ୍ୟବସ୍ଥା କରାଯାଇଥିବା ବେଳେ ଛୋଟ ମଣ୍ଡିରେ ମାନୁଆଲ୍ ଧାନ ପରୀକ୍ଷଣ ଯନ୍ତ୍ର ବ୍ୟବସ୍ଥା କରାଯିବ । ଧାନର ପରୀକ୍ଷା ନିରୀକ୍ଷା କରି ପ୍ରମାଣପତ୍ର ଦେବା ପାଇଁ ପ୍ରତ୍ୟେକ ଧାନ ସଂଗ୍ରହ କେନ୍ଦ୍ରରେ କ୍ଵାଲିଟି ଆନାଲିଷ୍ଟ ଓ କ୍ଵାଲିଟି ସୁପରଭାଇଜର ନିୟୋଜିତ ହେବେ । ଏଫ୍.ଏ.କ୍ୟୁ ଧାନ ପରୀକ୍ଷାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ପାଇଁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ (ଓସାମ୍ ବୋର୍ଡ଼) ଆବଶ୍ୟକୀୟ ସହଯୋଗ କରିବେ । ୯୭୩ଟି ଧାନ ସଂଗ୍ରହ କେନ୍ଦ୍ରରେ ଚାଷୀମାନଙ୍କ ପାଇଁ ବିଶ୍ରାମ ଗୃହ, ଶୌଚାଳୟ ସୁବିଧା ଧାନ ଶୁଖାଇବା ପାଇଁ କଂକ୍ରିଟ ଖଳା, ବର୍ଷାରୁ ସୁରକ୍ଷା ଦେବା ପାଇଁ ଛାତଯୁକ୍ତ ଉଚ୍ଚ ପିଣ୍ଡି, ବାଉଣ୍ଡରୀ ୱାଲ ବ୍ୟବସ୍ଥା କରିବା ପାଇଁ ପୂର୍ତ୍ତ ବିଭାଗକୁ କୁହାଯାଇଛି । ଏ ବାବଦରେ ଆର୍‌ଏମ୍‌ସି ନିଜସ୍ଵ ପାଣ୍ଠିରୁ ଅର୍ଥ ଯୋଗାଇ ଦେବେ ଏବଂ ଆବଶ୍ୟକ ସ୍ଥଳେ ରାଜ୍ୟ ସରକାର ମଧ୍ୟ ଅର୍ଥ ରାଶି ପ୍ରଦାନ କରିବେ । ପୂର୍ତ୍ତ ବିଭାଗର ଯନ୍ତ୍ରୀମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବେ । ପ୍ରତ୍ୟେକ ମଣ୍ଡିରେ ଜଣେ ଜଣେ ମଣ୍ଡି ପରିଚାଳନା ଅଧିକାରୀ ରହିବେ ଏବଂ ପ୍ରତ୍ୟେକ ଚାରି, ପାଞ୍ଚଟି ମଣ୍ଡିକୁ ନେଇ ଜଣେ ସୁପରଭାଇଜିଙ୍ଗ ଅଫିସର ରହିବେ । ଏହା ସହିତ ଗୋଟିଏ କେନ୍ଦ୍ରୀୟ ଡ୍ୟାସ ବୋର୍ଡ ଜରିଆରେ ମଣ୍ଡିରେ ହେଉଥିବା ସବୁ କାର୍ଯ୍ୟକ୍ରମର ତଦାରଖ କରାଯିବ । ଏହା ସହିତ କ୍ଵାଲିଟି କାଉନସିଲ ଅଫ ଇଣ୍ଡିଆର ସହାୟତାରେ ଧାନ ସଂଗ୍ରହ ବ୍ୟବସ୍ଥାର ତଦାରଖ ମଧ୍ୟ କରାଯିବ । ବାହାର ରାଜ୍ୟର ଚାଷୀଙ୍କ ଧାନ ଯେପରି ଓଡ଼ିଶା ମଧ୍ୟକୁ ନଆସିବ ସେ ଦିଗରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସିସିଟିଭି କିମ୍ବା ସ୍ମାର୍ଟ କ୍ୟାମେରା ମାଧ୍ୟମରେ ସୀମାବର୍ତ୍ତୀ ରାଜ୍ୟ ସହ ଯୋଡୁଥିବା ମୁଖ୍ୟରାସ୍ତା ଗୁଡିକର ୨୪ ଘଣ୍ଟିଆ ମନିଟରିଙ୍ଗ କରାଯିବ । ସୀମାବର୍ତ୍ତୀ ଅଞ୍ଚଳରେ ଏନଫୋର୍ସମେନ୍ଟ ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହେବେ ।

ଏହି ଆଭାଷୀ ବୈଠକରେ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ, ସମବାୟ ନିବନ୍ଧକ ପ୍ରଭୁ କଲ୍ୟାଣ ପଟ୍ଟନାୟକ, ସ୍ଵତନ୍ତ୍ର ଶାସନ ସଚିବ ସନ୍ତୋଷ କୁମାର ଦାଶ, ବ୍ୟକ୍ତିଗତ ସଚିବ ପୀତାମ୍ବର ସାମଲ, ଯୁଗ୍ମ ସଚିବ ସଂଗ୍ରାମ ରାଉତ, ଯୁଗ୍ମ ସଚିବ ଧରିତ୍ରୀ ମିଶ୍ର, ସମସ୍ତ ଜିଲ୍ଲାର ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking