ଭୁବନେଶ୍ୱର: ବିଭିନ୍ନ କେଳେଙ୍କାରୀରେ ସାମିଲ ଥିବା ଖଣି ଅଧିକାରୀ ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି । ରବିବାର ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୋସିଆଲ ମିଡ଼ିଆ ‘ଏକ୍ସ’ ଜରିଆରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଖଣି ଅଧିକାରୀ ରାଜେନ୍ଦ୍ର ଖୁଣ୍ଟିଆଙ୍କ କାର୍ଯ୍ୟ ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖି ଆସିଥିଲେ । ତାଙ୍କ କାର୍ଯ୍ୟଶୈଳୀରେ କୌଣସି ଉନ୍ନତି ପରିଲେକ୍ଷିତ ନହେବା ଯୋଗୁଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଏଥି ସହିତ ଅନ୍ୟାନ୍ୟ ମାଇନିଙ୍ଗ ଅଫିସରମାନଙ୍କ କାର୍ଯ୍ୟଧାରା ଉପରେ ସରକାର ତୀକ୍ଷଣ ଦୃଷ୍ଟି ରଖିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ କୌଣସି ବିଭାଗରେ କୌଣସି ଅଧିକାରୀ ବା କର୍ମଚାରୀ ଦୁର୍ନୀତିରେ ସମ୍ପୃକ୍ତ ପ୍ରମାଣ ରହିଲେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି । ସେହି କ୍ରମରେ ଖଣି ଅଧିକାରୀ ରାଜେନ୍ଦ୍ର ଖୁଣ୍ଟିଆଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଛନ୍ତି ।