ନୂଆଦିଲ୍ଲୀ: ୨୦୨୬ ମାର୍ଚ୍ଚ ମାସର ପ୍ରଥମ ବାଣିଜ୍ୟ ଦିବସ ଅର୍ଥାତ ମାର୍ଚ୍ଚ ୨ ତାରିଖରେ ସାମଗ୍ରୀ ବଜାର କମେକ୍ସରେ ସୁନା ଏବଂ ରୂପା ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳୁଛି । ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ଏହି ବୃଦ୍ଧି ଘଟିଛି । ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ କରୁଛନ୍ତି ଓ ଇରାନ ମଧ୍ୟ ଅନେକ ଦେଶ ଉପରେ ଲଗାତାର ଆକ୍ରମଣ କରି ସମସ୍ତ ଆମେରିକାର ବିମାନ ଘାଟିକୁ ନଷ୍ଟ କରିଦେଉଛି । ୨୮ ଫେବୃଆରିରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଯୋଗୁଁ ସୋମବାର ସାମଗ୍ରୀ ବଜାରରେ ଏକ ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଅନେକ ବଜାର ବିଶେଷଜ୍ଞ ପୂର୍ବରୁ ପୂର୍ବାନୁମାନ କରିଥିଲେ । ତେବେ ଆଜି ସୁନାର ମୂଲ୍ୟ ୧.୭୫% ବୃଦ୍ଧି ପାଇ ପ୍ରତି ଆଉନ୍ସ $୫,୩୪୦.୦୦ ହୋଇଛି । କିନ୍ତୁ ବଜାର ଖୋଲିବା ପରେ ମୂଲ୍ୟ ଆଉନ୍ସ ପ୍ରତି $୫୪୦୦ ଉପରେ ପହଞ୍ଚିଥିଲା । ରୂପା ମୂଲ୍ୟ ମଧ୍ୟ ସମାନ ପରିସ୍ଥିତିରେ ଅଛି । ୦.୨୯% ବୃଦ୍ଧି ପରେ ରୂପା ମୂଲ୍ୟ ଆଉନ୍ସ ପ୍ରତି $୯୩.୫୬୫ କୁ ହ୍ରାସ ପାଇଛି । ଶୁକ୍ରବାର ଦିନ ସୁନା ଆଉନ୍ସ ପ୍ରତି $୫,୨୯୬.୪୦ ଏବଂ ରୂପା $୯୩.୮୨୫ ରେ ବନ୍ଦ ହୋଇଥିଲା । ଏହାର ଅର୍ଥ ହେଉଛି ଏହି ହଳଦିଆ ଧାତୁର ମୂଲ୍ୟ ଆଉନ୍ସ ପ୍ରତି $୪୩.୫ ର ଏକ ବିରାଟ ବୃଦ୍ଧି ପାଇଛି ।










