ଅଲ୍ ରୟାନ୍: ଚଳିତ ବିଶ୍ୱକପ୍ରେ ବୁଧବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଗ୍ରୁପ୍-ଏଫ୍’ର ଦୁଇ ଦଳ ବେଲଜିୟମ୍ ଓ କାନାଡା ସେମାନଙ୍କ ଅଭିଯାନ ଆରମ୍ଭ କରିଥିବା ବେଳେ ଏଥିରେ ବେଲଜିୟମ୍ ୧-୦ ଗୋଲ୍ରେ ବିଜୟୀ ହୋଇଛି । ଏଥିସହ ବିଶ୍ୱକପ୍ ଇତିହାସରେ ଦୀର୍ଘ ୩୬ ବର୍ଷ ପରେ କାନାଡା ବେଲଜିୟମ୍ଠାରୁ ପରାଜୟ ବରଣ କରିଛି । ବୁଧବାର ମ୍ୟାଚ୍ରେ ଅଧିକାଂଶ ସମୟରେ କାନାଡ଼ା ଖେଳାଳି ବଲ୍କୁ ନିଜ ଅକ୍ତିଆରରେ ରଖିଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଗୋଲ୍ ସ୍କୋର୍ କରିବାରେ ବିଫଳ ହୋଇଥିଲେ । ପ୍ରଥମାର୍ଦ୍ଧ ଖେଳରେ ଦଳର ଖେଳାଳିମାନେ ବେଲଜିୟମ୍ ଗୋଲ୍ପୋଷ୍ଟ୍ ଉପରେ ୧୪ ଥର ଆକ୍ରମଣ କରିଥିଲେ । କିନ୍ତୁ ଏହି ଶଟ୍ ମଧ୍ୟରୁ ଗୋଟିଏ ବି ଟାର୍ଗେଟ୍ ଭେଦ କରି ନଥିଲା । ବରଂ ପ୍ରଥମାର୍ଦ୍ଧ ଖେଳର ଅନ୍ତିମ ଭାଗରେ ଅର୍ଥାତ୍ ୪୪ତମ ମିନିଟ୍ରେ ମିଚି ବାସୁୟି ପାଇଥିବା ଏକ ଲମ୍ବା ପାସ୍କୁ ଗୋଲ୍ରେ ପରିଣତ କରି ବେଲଜିୟମ୍କୁ ୧-୦ରେ ଅଗ୍ରଣୀ କରାଇଥିଲେ । ବେଲଜିୟମ୍ ଶେଷ ପର୍ଯ୍ୟନ୍ତ ଏହି ଅଗ୍ରଣୀକୁ କାଏମ ରଖି ପୂର୍ଣ୍ଣ ପଏଣ୍ଟ୍୍ ହାସଲ କରିଥିଲା । ବିଜୟ ପରେ ବେଲଜିୟମ୍ ଖେଳାଳିମାନେ ସେଲିବ୍ରେନ୍ କରିବା ସମୟରେ କାନାଡା ଖେଳାଳିମାନେ ନିଜର ପରାଜୟକୁ ବିଶ୍ୱାସ କରିପାରି ନଥିଲେ । ଏଥିସହ କାନାଡା ବିଶ୍ୱକପ୍ରେ ଖେଳିଥିବା ୪ଟିଯାକ ମ୍ୟାଚ୍ରେ ପରାଜୟ ବରଣ କରିଛି ଓ ଦଳ ଅଦ୍ୟାବଧି ବିଶ୍ୱକପ୍ରେ ଗୋଲ୍ ଖାତା ମଧ୍ୟ ଖୋଲିପାରିନାହିଁ । ଦଳ ୧୯୮୬ ସଂସ୍କରଣରେ ୩ଟି ମ୍ୟାଚ୍ ଖେଳିଥିଲା ।