ମଥୁରା : ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ମାମଲା ସାମ୍ନାକୁ ଆସିଛି । ଥାନାରେ ରଖାଯାଇଥିବା ୫୮୬ କେଜି ଗଞ୍ଜେଇ ମୂଷା ଖାଇଯାଇଥିବା ନେଇ ଏଠାକାର ପୁଲିସ କୋର୍ଟରେ ରିପୋର୍ଟ ଦାଖଲ କରିଛି । ରିପୋର୍ଟ ଅନୁସାରେ ଏହି ଗଞ୍ଜେଇର ମୂଲ୍ୟ ୬୦ ଲକ୍ଷ ଟଙ୍କା । ପୁଲିସର ଏହି ରିପୋର୍ଟରେ କୋର୍ଟ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ଏବଂ ପୁଲିସଠାରୁ ଏହାର ପ୍ରମାଣ ମାଗିଛନ୍ତି । ଏଜିଜେ କୋର୍ଟ ଏହାର ପ୍ରମାଣ ନଭେମ୍ବର ୨୬ ତାରିଖ ସୁଦ୍ଧା ଦାଖଲ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ମୂଷା ସମସ୍ୟାର ମୁକାବିଲା ପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି । ମୂଷାଙ୍କ ଉପରେ ଲଗାମ ଲଗାଇବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ଏସ୍ଏସ୍ପିଙ୍କୁ କହିଛନ୍ତି । ରିପୋର୍ଟ ଅନୁସାରେ ପୁଲିସ ୨୦୧୮ରେ ଶେରଗଡ଼ ଏବଂ ହାଇୱେରୁ ଏନ୍ଡିପିସି ଆକ୍ଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା । ଏହାକୁ ଥାନାର ଏକ ଗୋଦାମରେ ରଖାଯାଇଥିଲା । ଗୋଦାମରେ ଏହି ଗଞ୍ଜେଇକୁ ମୂଷା ଖାଇଯାଇଥିଲେ । ଯେଉଁ କିଛି ଗଞ୍ଜେଇ ବଳିଥିବା ସେଗୁଡ଼ିକ ପାଣିରେ ଭିଜି ଖରାପ ହୋଇଯାଇଛି ବୋଲି ପୁଲିସ କହିଛି । ପୁଲିସ ଅନୁସାରେ ବର୍ଷା ପାଣିରେ ଯେଉଁ ବସ୍ତା ଭିଜିଯାଇଥିଲା, ସେଗୁଡ଼ିକୁ ମୂଷାମାନେ ଟିକି ଟିକି କରି କାଟିଦେଇଛନ୍ତି । ଏହି ଅବସରରେ ପୁଲିସ କୋର୍ଟରେ ଜବତ ଗଞ୍ଜେଇ ଦାଖଲ କରିବା ନେଇ ନିଜର ଅସହାୟତା ପ୍ରଦର୍ଶନ କରିବା ସହ ପ୍ରମାଣ ସ୍ୱରୂପ ବଳିଥିବା ଗଞ୍ଜେଇ ଦାଖଲ କରିଥିଲା ।