ନୂଆଦିଲ୍ଲୀ: ୨୮ବର୍ଷ ବୟସରେ ୩କୋଟି ପ୍ୟାକେଜର ଚାକିରି ଛାଡ଼ିଲେ ମେଟା କର୍ମଚାରୀ। ପିଲାମାନେ ପାଠ ପଢ଼ି ଦିନେ ଭଲ ଚାକିରି କରିବାର ସ୍ବପ୍ନ ଦେଖନ୍ତି। କୋଟି କୋଟି ଟଙ୍କା ଆୟ କରି ନିଜର ସବୁ ସ୍ବପ୍ନ ପୂରଣ କରିବାର ଇଚ୍ଛା ଯୁବପିଢ଼ିଙ୍କର ଥାଏ। କିଛି ସେଭଳି ସ୍ବପ୍ନ ଥିଲା ମେଟା କର୍ମଚାରୀ ଏରିକ୍ ୟୁଙ୍କର, ଯାହାକୁ ସେ ପୂରା ବି କରିଥିଲେ। ହେଲେ ସବୁ କିଛି ଠିକ୍ ଚାଲିଥିବା ବେଳେ ଏବେ ୩କୋଟି ପ୍ୟାକେଜର ଚାକିରି ଛାଡ଼ିଛନ୍ତି ଏରିକ୍। ଏହାର କାରଣ ହେଉଛି ତାଙ୍କ ମାନସିକ ଅବସ୍ଥା।
ଏରିକଙ୍କ କହିବା ମୁତାବକ, “ମେଟା ଭଳି କମ୍ପାନିରେ ଚାକିରି କରିବା ମୋ ଜୀବନର ଏକ ବଡ଼ ଲକ୍ଷ୍ୟ ଥିଲା। ମୁଁ ସ୍କୁଲ ସମୟରେ କଠିନ ପରିଶ୍ରମ କରିଥିଲି ଏବଂ ଚାକିରି ମିଳିବା ପରେ ମୋତେ ମୋ ପରିଶ୍ରମର ଫଳ ମିଳିଛି ବୋଲି ଭାବି ମୁଁ ଖୁସି ହୋଇଥିଲି। ମୋତେ ଉଭୟ ଫେସବୁକ୍ ଏବଂ ଗୁଗୁଲରୁ ଚାକିରି ଅଫର ଆସିଥିଲା। ଫେସବୁକରେ କାମର ଚାପ କମ ରହିବ ବୋଲି ଭାବି ମୁଁ ମେଟାର ଅଫର ଗ୍ରହଣ କରିଥିଲି। ହେଲେ ମେଟା ସହ କାମ କରିବା ପରେ କାମର ଚାପ ମୋ ମାନସିକ ଅବସ୍ଥା ଉପରେ ଗଭୀର ପ୍ରଭାବ ପକାଇଥିଲା। ଛୁଟି ଦିନ ମଧ୍ୟ କାମ କରିବାକୁ ପଡ଼ୁଥିଲା। କାମର ଚାପ ପାଇଁ ମୋତେ ‘ପାନିକ ଆଟାକ୍’ ଆସିବା ଆରମ୍ଭ ହେଲା। ମୁଁ ନିଶ୍ବାସ ନେଇନପାରିବା ସହ ମୋ କାନରେ ଘଣ୍ଟି ବାଜିବା ଭଳି ଅନୁଭବ ହେଲା। ଏସବୁ କାହିଁକି ହେଉଛି ବୋଲି ମୁଁ ଜାଣିପାରୁନଥିବା ବେଳେ ମୋ ପ୍ରେମିକା ମୋତେ ଏହା ‘ପାନିକ ଆଟାକ୍’ ବୋଲି କହିଥିଲେ। ଏତେ କୋଟିର ଚାକିରି ପାଇଁ ମୋର ଏଭଳି ଅବସ୍ଥା ହେବାରୁ ମୁଁ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଲି।”