ମୁମ୍ବାଇ: ନିକଟରେ ଜସପ୍ରୀତ୍ ବୁମରାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ସନ୍ଦୀପ ୱାରିଅର୍ଙ୍କୁ ସାମିଲ୍ କରିଥିବା ବେଳେ ଗୁରୁବାର ଅଷ୍ଟ୍ରେଲୀୟ ପେସର୍ ରିଲି ମେରେଡିଥ୍ଙ୍କୁ ମଧ୍ୟ ପ୍ରତ୍ୟାବର୍ତ୍ତନର ସୁଯୋଗ ଦେଇଛି । ଏହି ୨୬ ବର୍ଷୀୟ ପେସର୍ଙ୍କୁ ଦଳ ଅନ୍ୟତମ ଅଷ୍ଟ୍ରେଲୀୟ ଝାଇ ରିଚାର୍ଡସନ୍ଙ୍କ ସ୍ଥାନରେ ସାମିଲ୍ କରିଛି । ଆଇପିଏଲ୍ର ଷୋଡ଼ଶ ସଂସ୍କରଣ ପାଇଁ ହୋଇଥିବା ମିନି ଅକ୍ସନ୍ରେ ମୁମ୍ବାଇ ରିଚାର୍ଡସନ୍ଙ୍କୁ ଦେଢ଼ କୋଟି ଟଙ୍କାରେ ଖରିଦ୍ କରିଥିଲା ।
କିନ୍ତୁ ରିଚାର୍ଡସନ୍ ହାମଷ୍ଟ୍ରିଙ୍ଗ୍ ଇନ୍ଜୁରୀ କାରଣରୁ ସଂସ୍କରଣରୁ ବାଦ୍ ପଡ଼ିବା ପରେ ନିଜର ବୋଲିଂ ଲାଇନ୍କୁ ଦୃଢ଼ତା ଦେବା ସକାଶେ ମୁମ୍ବାଇ ମେରେଡିଥ୍ଙ୍କୁ ସାମିଲ୍ କରିଛି । ଏହି ୫ ଥରର ଚାମ୍ପିଅନ୍ ଟିମ୍ରେ ମେରେଡିଥ୍ ଗତ ୨୦୨୨ ସଂସ୍କରଣରେ ଡେବ୍ୟୁ କରିଥିଲେ । ଉକ୍ତ ସିଜନ୍ରେ ସେ ୮ଟି ମ୍ୟାଚ୍ ଖେଳି ସମାନ ସଂଖ୍ୟକ ୱିକେଟ୍ ନେଇଥିଲେ । ଶନିବାର ଏଠାକାର ୱାଙ୍ଖେଡେ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ଖେଳିବାକୁ ଥିବା ମ୍ୟାଚ୍ ପୂର୍ବରୁ ମେରେଡିଥ୍ ଦଳ ସହ ଯୋଗଦେବେ ବୋଲି ଫ୍ରାଞ୍ଚାଇଜ୍ ପକ୍ଷରୁ ସୂଚନା ଦିଆଯାଇଛି ।