ବାଲେଶ୍ୱର: ପୁରବାଇ କନ୍ୟାଶ୍ରମରେ ଛାତ୍ରୀ ଅସୁସ୍ଥ ଘଟଣା । ୨୫ରୁ ଉର୍ଧ ଛାତ୍ରୀ ଗୁରୁତର ହେବା ସହ ଜଣକର ମୃତ୍ୟୁ ହେବାପରେ ତତ୍ପରତା ଦେଖାଇଛି ପ୍ରଶାସନ । ତେବେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ହେବ ଜଣାପଡିନାହିଁ ଏବଂ ସେନେଇ ରକ୍ତ ପରୀକ୍ଷା କରିବା ପାଇଁ ଦିଆଯାଇଛି । ଥଣ୍ଡା ସହ ମୁଣ୍ଡବିନ୍ଧା, ଡ୍ରାଉଜି, କମ୍ବଲସନ୍ ଭଳି ଲକ୍ଷଣ ଦେଖାଯାଉଥିବାରୁ ମସ୍ତିଷ୍କ ଜ୍ୱର ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି ।
ଗତ ୧୭ ତାରିଖ ଜଣେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଜିଲ୍ଲା ପ୍ରଶାସନ ଓ ମେଡିକାଲ ପ୍ରଶାସନ ଏହାକୁ ନେଇ ତତ୍ପରତା ପ୍ରକାଶ କରିବା ସହ ପୁରୁବାଇ ଆଶ୍ରମରେ ପହଞ୍ଚି ତଦନ୍ତ କରିଥିଲେ ।
ମୃତ୍ୟୁବରଣ କରିଥିବା ସମ୍ପୃକ୍ତ ଛାତ୍ରୀଙ୍କ ମୃତ୍ୟୁ କେଉଁ କାରଣରୁ ହେଲା ସେନେଇ ପରୀକ୍ଷା ପାଇଁ କଟକ ପଠାଯାଇଥିବା ବେଳେ ପିଲାଙ୍କ ଲକ୍ଷଣରୁ ମସ୍ତିଷ୍କ ପ୍ରଦାହ ରୋଗ ବୋଲି ଅନୁମାନ କରାଯାଉଥିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏପଟେ ଛାତ୍ରୀ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୫ରୁ ଊର୍ଦ୍ଧ୍ଵ ଛାତ୍ରୀ ଆକ୍ରାନ୍ତ ହୋଇ ସୋର ଓ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି ।