ଲଣ୍ଡନ୍ : ଇଣ୍ଟର୍ନେଟ୍ ଆଧାରିତ ବ୍ୟାଙ୍କିଙ୍ଗ୍ ସଫ୍ଟୱେୟାର୍ରେ ସମୟେ ସମୟେ ବୈଷୟିକ ତ୍ରୁଟି ଦେଖାଯାଇଥାଏ । ଜମାକାରୀଙ୍କ ଖାତାକୁ ନିର୍ଦ୍ଦିଷ୍ଟ ପରିମାଣର କ୍ରେଡିଟ୍ ଦୁଇଥର ଆସିଯାଇଥାଏ । ପରବର୍ତ୍ତୀ ସମୟରେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଏହି ତ୍ରୁଟିକୁ ସୁଧାରି ନେଇଥାନ୍ତି । ଏପରି ଏକ ବୈଷୟିକ ତ୍ରୁଟି ଲଣ୍ଡନ୍ସ୍ଥିତ ଏକ ସାଣ୍ଟାଣ୍ଡର୍ ବ୍ୟାଙ୍କ୍ରେ ଦେଖାଯାଇଛି । ସୂଚନାଯୋଗ୍ୟ ଯେ ଗତ ବଡ଼ଦିନ ଅବସରରେ ବ୍ୟାଙ୍କ୍ ଦ୍ୱାରା ୨ ହଜାର କର୍ପୋରେଟ୍ ଓ ବାଣିଜ୍ୟିକ ଆକାଉଣ୍ଟ୍କୁ ୭୫ ହଜାର ସଂଖ୍ୟକ ପେମେଣ୍ଟ୍ସ ଦୁଇଥର କ୍ରେଡିଟ୍ ହୋଇଯାଇଛି । ଫଳରେ ୧୩୦ ନିୟୁତ ପାଉଣ୍ଡ୍ (୧୭୫ ନିୟୁତ ଡଲାର୍) ବ୍ୟାଙ୍କ୍ ଦ୍ୱାରା ଅତିରିକ୍ତ ପଇଠ ହୋଇଯାଇଛି । ସମ୍ପ୍ରତି ବ୍ୟାଙ୍କ୍ କର୍ତ୍ତୃପକ୍ଷ ବ୍ରିଟେନ୍ର ବିଭିନ୍ନ ବ୍ୟାଙ୍କ୍ ସହିତ ସମନ୍ୱୟ ରକ୍ଷା କରି ଏହି ଭୁଲ୍ଜନିତ ପେମେଣ୍ଟ୍କୁ ଆଦାୟ କରିବା ପାଇଁ ପ୍ରୟାସରତ ଅଛନ୍ତି । ଯଦି ଜମାକାରୀମାନେ ଏହି ଅର୍ଥରାଶିକୁ ଖର୍ଚ୍ଚ କରି ଦେଇଥିବେ, ତେବେ ଏହା ଆଦାୟ କରିବା ପାଇଁ ଅଧିକ ସମୟ ଲାଗିବ । ସୂଚନାଯୋଗ୍ୟ ଯେ ବ୍ରିଟିଶ୍ ହାଇଷ୍ଟ୍ରୀଟ୍ ୱିଙ୍ଗ୍ସ୍ଥିତ ସାଣ୍ଟାଣ୍ଡର୍ ବ୍ୟାଙ୍କ୍ର ଏହି ଶାଖାରେ ୧୪ ମିଲିୟନ୍ରୁ ଊର୍ଦ୍ଧ୍ୱ ଜମାକାରୀ ଅଛନ୍ତି ।