ମୟୂରଭଞ୍ଜ: ପରକ୍ରିୟା ପ୍ରୀତି ହେଲା କାଳ। ସ୍ୱାମୀର ଅଜାଣତରେ ପ୍ରେମିକ ସହ ଘର ଛାଡିଲା ସ୍ତ୍ରୀ। କ୍ରୋଧାନ୍ୱିତ ହୋଇ ପ୍ରେମିକ ସହ ସ୍ତ୍ରୀକୁ ଆକ୍ରମଣ କଲା ସ୍ୱାମୀ। ଆକ୍ରମଣରେ ପ୍ରେମିକ ମୃତ ସ୍ତ୍ରୀ ଗୁରୁତ୍ତର। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦୁଧିଆଣି ଗ୍ରାମପଞ୍ଚାୟତ ବୁଢ଼ୀଗାଁ ଗ୍ରାମରେ। ଗତକାଲି ରାତିରେ ସ୍ତ୍ରୀ ସହ ପ୍ରେମିକ ଘରେ ଶୋଇଥିବା ସମୟରେ ସ୍ୱାମୀର କଟୁରୀ ଚୋଟରେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହାର କରିଥିବା କଟୁରୀକୁ ଜବତ କରିଛି କରଞ୍ଜିଆ ଥାନା ପୋଲିସ। ପରେ ଗୁରୁତର ସ୍ତ୍ରୀକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି ପୋଲିସ। ମୃତକର ଶବକୁ ଜବତ କରି ବ୍ୟବଛେଦ ପାଇଁ କରଞ୍ଜିଆ ପଠାଇଛି । ଘଟଣା ଅନୁଯାୟୀ ବୁଢ଼ୀଗାଁ ଗ୍ରାମର ରୁପା ହେମ୍ବ୍ରମ ୩ ବର୍ଷ ପୂର୍ବରୁ ପାର୍ବତୀ ହେମ୍ବ୍ରମକୁ ବିବାହ କରିଥିଲା । ତେବେ ରୁପା ଦୁଧିଆଣି ରେଞ୍ଜ ମହାବୀରଶାଳ ସେକ୍ସନ କାର୍ଯ୍ୟାଳୟ ଅନ୍ତର୍ଗତ ରିଜର୍ଭ ଜଙ୍ଗଲରେ ବନବିଭାଗ କାର୍ଯ୍ୟରେ ନିୟୋଜିତ ରହୁଥିଲେ । ଏହାର ସୁଯୋଗରେ ଦିନବେଳା ଘରେ ଅନୁପସ୍ଥିତ ରହୁଥିବା ସୁଯୋଗରେ ଉକ୍ତ ଗ୍ରାମର ଫୁଟେ ଦେହୁରୀ ପାର୍ବତୀକୁ ଭଲପାଇ ତାକୁ ବାହା ହେବା ପାଇଁ ରାଜି କରାଇଥିଲା । ଏ ସମ୍ଭନ୍ଧରେ ରୁପା ଆଦୌ ଜାଣିନଥିଲା ଏହା ସହିତ ପାର୍ବତୀ ଗର୍ଭବତୀ ଥିବା ଜାଣିଥିଲା । ମାତ୍ର ଗତ ବୁଧବାର ଦିନ ଅପରାହ୍ନ ସମୟରେ ରୁପା ଘରେ ଥିବା ସମୟରେ ଗ୍ରାମର କିଛି ଲୋକଙ୍କ ଉପସ୍ଥିତିରେ ଫୁଟେ ପାର୍ବତୀକୁ ନେଇ ପଳାଇଯାଇଥିଲା । ଏଇ ଘଟଣା ପରେ ପାର୍ବତୀ ନିଜ ଇଚ୍ଛାରେ ଯାଉଥିବା ଜାଣି ରୁପା ଚୁପ ରହିଥିଲା। ଶୁକ୍ରବାର ଦିନ ପାର୍ବତୀର ଗର୍ଭକୁ ନଷ୍ଟ କରିଦେଇଥିବା ନେଇ ଫୁଟେ ରୂପାକୁ କହିବାପରେ ରୁପା ପ୍ରତିଶୋଧ ପରାୟଣ ହୋଇଉଠିଥିଲା । ଆଉ ଗତକାଲି ରାତିରେ ପାର୍ବତୀ ଓ ଫୁଟେ ଶୋଇଥିବା ସମୟରେ ରୁପା ଏକ କଟୁରୀ ଦ୍ୱାରା ସେମାନଙ୍କୁ ଆକ୍ରମଣ କରିଥିଲା । ପାର୍ବତୀର ଓଠ ଓ ଡାହାଣ ହାତରେ ଗଭୀର କ୍ଷତ ହୋଇଥିବା ବେଳେ ଫୁଟେ ମୃତ୍ୟୁବରଣ କରିଥିଲା ।ଖବରପାଇ କରଞ୍ଜିଆ ଥାନାଅଧିକାରିଣୀ ସରୋଜିନୀ ସିଂ ଓ ଉପଖଣ୍ଡ ପୁଲିସ ଅଧିକାରୀ ସତ୍ୟବିକାଶ ଭୂୟାଁ ସଦଳବଳେ ଘଟଣାସ୍ଥଳକୁ ଯାଇ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ କରିବା ସହ ଅଭିଯୁକ୍ତ ରୂପାକୁ ଗିରଫ କରିଥିଲେ । ଏନେଇ କରଞ୍ଜିଆ ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଛି ପୋଲିସ ।