ଭୁବନେଶ୍ୱର: ୨୦୨୪ ମାଟ୍ରିକ ବୋର୍ଡ ପରୀକ୍ଷା ସମେତ ଦ୍ୱାଦଶ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷା ପରୀକ୍ଷା ବିଗତବର୍ଷ ଅପେକ୍ଷା ଖୁବ ଶୀଘ୍ର ଅନୁଷ୍ଠିତ ହେବ । ମାର୍ଚ୍ଚ-ଏପ୍ରିଲରେ ନିର୍ବାଚନ ହେବାର ସମ୍ଭାବନା ରହିଥିବାରୁ ସମସ୍ତ ପରୀକ୍ଷା ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଫେବୃଆରୀ ୧୪ ତାରିଖରୁ ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଥିବା ବେଳେ ଦ୍ୱାଦଶ ପରୀକ୍ଷା ଫେବୃଆରୀ ୩ୟ ସପ୍ତାହରୁ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ମାତ୍ର କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକଶିକ୍ଷାର ଯେଉଁ ପ୍ରାାକ୍ଟିକାଲ ବିଷୟ ରହିଛି ସମ୍ପୃକ୍ତ ବିଷୟର ପ୍ରାକ୍ଟିକାଲ ଜାନୁଆରୀ ୨ୟ ସପ୍ତାହ ମଧ୍ୟରେ କରାଯିବ ।
ରାଜ୍ୟର ସମସ୍ତ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ସୁବିଧା ଲାଗି ରିଭିଜନ ଟେଷ୍ଟ ସାରିବାକୁ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ପାଇଁ ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ଲାଗି ପିଲାଙ୍କୁ ଭଲ ଭାବେ ପ୍ରସ୍ତୁତ କରିବାକୁ ଜୁନିୟର କଲେଜ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି । ଆବଶ୍ୟକସ୍ଥଳେ ଯେଉଁ ଛାତ୍ରଛାତ୍ରୀ ଚାହିଁବେ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଶ୍ରେଣୀ ପାଠପଢ଼ା ଶେଷ ହେବା ପରେ ଶିକ୍ଷାଦାନ କରିବାକୁ ମଧ୍ୟ କୁହାଯାଇଛି ।
ରାଜ୍ୟରେ ପ୍ରାୟ ୫ଲକ୍ଷ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଏବଂ ପ୍ରାୟ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ଦ୍ୱାଦଶ ପରୀକ୍ଷା ଦେବେ । ଜାନୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ୨୦୨୪ରେ ଉଭୟ ମାଟ୍ରିକ ଏବଂ ଦ୍ୱାଦଶରେ କେତେ ପିଲା ପରୀକ୍ଷା ଦେବେ ତାହା ସ୍ପଷ୍ଟ ହେବ କିଛି ସ୍କୁଲର ପ୍ରଧାନ ଶିକ୍ଷକମାନେ କହିଥିବା ବେଳେ +୨ ପରିଷଦ ପକ୍ଷରୁ ମଧ୍ୟ ସମାନ ସୂଚନା ଦିଆଯାଇଛି । ତେବେ +୨ ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୨୦୬୫ଟି ଜୁନିୟର କଲେଜ ରହିଥିବା ବେଳେ କଳାରେ ପ୍ରାୟ ୨ଲକ୍ଷରୁ ଅଧିକ, ବିଜ୍ଞାନରେ ୭୫ହଜାରରୁ ଅଧିକ, ଅବଶିଷ୍ଟ ବାଣିଜ୍ୟ, ଧନ୍ଦାମମୂଳକ ଶିକ୍ଷା ପରୀକ୍ଷା ଦେବେ । ଆଡମିଟ୍ କାର୍ଡ ପ୍ରଦାନ କରାଯିବା ପରେ ମୋଟ୍ ପରୀକ୍ଷାର୍ଥୀଙ୍କ ସଂଖ୍ୟା ସ୍ପଷ୍ଟ ହେବ ।
ତେବେ ମାର୍ଚ୍ଚ -ଏପ୍ରିଲରେ ନିର୍ବାଚନ ରହିଥିବାରୁ ନିର୍ବାଚନରେ ବିଭିନ୍ନ ସ୍କୁଲ, କଲେଜକୂ ବ୍ୟବହାର କରାଯିବା ସହ ନିର୍ବାଚନ ପ୍ରକ୍ରିୟାରେ ସ୍କୁଲ-କଲେଜର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସାମିଲ କରାଯିବ । ତେଣୁ ନିର୍ବାଚନ ପୂର୍ବରୁ ପରୀକ୍ଷା ଶେଷ କରିବା ସହ ନିର୍ବାଚନ ପରେ ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଥିବା ବେଳେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନଥିବା +୨ ପରିଷଦର ଅଧିକାରୀ ସୂଚନା ଦେଇଛନ୍ତି । ଏପରିକି ଆବଶ୍ୟକ ସ୍ଥଳେ ନିର୍ବାଚନ ପୂର୍ବରୁ ମଧ୍ୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଆସନ୍ତା ନଭେମ୍ବର ୨ୟ ସପ୍ତାହରେ +୨ ପରିଷଦର ପରୀକ୍ଷା କିମିଟି ବୈଠକ ପରେ ଜଣାପଡିବ ବୋଲି ସୂଚନା ମିଳିଛି ।