ବ୍ରହ୍ମପୁର: ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ ପୋକ୍ସ କୋର୍ଟ ଜଜ୍ ଗୁରୁପ୍ରସାଦ ପଟ୍ଟନାୟକ ଏକ ନାବାଳିକାଙ୍କୁ ବିବାହ କରି ନିର୍ଯାତନା ଦେବା ମାମଲାର ଶୁଣାଣି କରିଛନ୍ତି । ପ୍ରମାଣ ଅଭାବରୁ ଅଭିଯୁକ୍ତ ସ୍ୱାମୀ ଉଜ୍ଜ୍ୱଳ ନାୟକ ସମେତ ୬ଜଣଙ୍କୁ ସେ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ଏହି ମାମଲାର ବିଚାରଣା ବେଳେ ୧୧ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ମାଲାର ବିଚାରଣା ହୋଇଥିଲା । ସୂଚନାଯୋଗ୍ୟ ଯେ, ପାଟପୁର ଥାନା ଅଞ୍ଚଳରେ ଜଣେ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜନୈକା ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ରଖି ଉଜ୍ଜ୍ୱଳ ନାୟକ ତାଙ୍କୁ ବାଲ୍ୟ ବିବାହ କରିଥିଲେ । କିଛି ମାସ ପରେ ଉଜ୍ଜ୍ୱଳ ଓ ତାଙ୍କ ପରିବାର ଲୋକ ଅଧିକ ୧ ଲକ୍ଷ ଯୌତୁକ ଦାବି କରି ନାବାଳିକା ସ୍ତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ । ଏପରିକି ତାଙ୍କ ସ୍ତ୍ରୀ’ଙ୍କୁ ଘରୁ ଉଜ୍ଜ୍ୱଳ ବାହାର କରି ଦେଇଥିଲେ ।
ପରେ ପୀଡ଼ିତା ଜଣଙ୍କ ଏନେଇ ଗତ ୨୦୧୭ ମଇ ୨୬ ତାରିଖରେ ପାଟପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲାରେ ଅଭିଯୁକ୍ତ ଉଜ୍ଜ୍ୱଳ ନାୟକ, ଶାଶୁ ଗୌରୀ ନାୟକ , ଦୁଇ ଦିଅର ଲିଙ୍ଗରାଜ ନାୟକ ଓ କୃଷ୍ଣ ନାୟକ, ଦୁଇ ଯାଆ’ ପିଙ୍କି ନାୟକ ଓ ଦମୟନ୍ତି ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପରେ ଅଭିଯୁକ୍ତ ସ୍ୱାମୀ ବ୍ୟତୀତ ଅନ୍ୟ ୫ଜଣ ଅଭିଯୁକ୍ତ ଜାମିନ ପାଇଥିଲେ । ଘଟଣା ପର ଠାରୁ ଉଜ୍ଜ୍ୱଳ ନାୟକ ମଣ୍ଡଳକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ପିପି ନରେଶ ପ୍ରସାଦ ପାତ୍ର ଓ ମୁଦାଲାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କୃଷ୍ଣ ପ୍ରସାଦ ପଟ୍ଟନାୟକ ମୋକଦ୍ଦମା ପରିଚାଳନା କରିଥିଲେ ।