ଭୁବନେଶ୍ୱର : ସରିଛି ରୁକୁଣା ରଥ ପ୍ରତିଷ୍ଠା । ମହାଖଳାରେ ଠିଆ ହୋଇଥିବା ରଥରେ ନେତ ବନ୍ଧା ହେବା ସହିତ ମରୀଚି କୁଣ୍ଡର ଜଳରେ ପ୍ରତିଷ୍ଠା କରାଯାଇଛି। ଗୋଟିଏ କଳସୀ ପାଣିର ଦାମ ଏକ ଲକ୍ଷେ ଟଙ୍କାରୁ ଅଧିକ । ରାଜଧାନୀସ୍ଥିତ ମୁକ୍ତେଶ୍ୱର ମନ୍ଦିରର ମରିଚି କୁଣ୍ଡ ପାଣିର ପ୍ରଥମ କଳସ ୧ ଲକ୍ଷ ୩୦ ହଜାର ଟଙ୍କାରେ ନିଲାମି ହୋଇଛି । ରାତି ୧୨ଟାରେ ଆରମ୍ଭ ହୋଇଥିଲା ଏହି ନିଲାମି ପ୍ରକ୍ରିୟା । ୨୫ ହଜାର ଟଙ୍କାରେ ଧାର୍ୟ୍ୟ ହୋଇଥିଲା ପ୍ରଥମ କଳସିର ଦାମ । ପ୍ରଥମ କଳସୀ ପାଣି ନେବା ପାଇଁ ଦୁଇ ପରିବାର ଭିତରେ ଚାଲିଥିଲା ପ୍ରତିଯୋଗିତା ।
୨୫ ହଜାରରୁ ଆରମ୍ଭ ହୋଇ ପ୍ରଥମ କଳସ ପାଣିକୁ ୧ ଲକ୍ଷ ୩୦ ହଜାର ଟଙ୍କାରେ ଭୁବନେଶ୍ୱରର ସୁନନ୍ଦା ପ୍ରଧାନ ଓ ବିରଞ୍ଚି ପ୍ରଧାନ ନିଲାମ ଡାକିଥିଲେ। ସେହି ଭଳି ଦ୍ୱିତୀୟ କଳସ ପାଣି ୧୫୦୦୦ ରୁ ଆରମ୍ଭ ହୋଇ ୪୭୦୦୦ ଟଙ୍କାରେ ଭୁବନେଶ୍ୱର ସରକନ୍ତରା ବାହାଦଳପୁର ଅଞ୍ଚଳର ଦମ୍ପତ୍ତି ସୁଶାନ୍ତ ସାହୁ ଓ ଲିପିନା ସାହୁ ନିଲାମ ନେଇଛନ୍ତି । ତୃତୀୟ କଳସୀ ପାଇଁ ୧୧ ହଜାରରୁ ନିଲାମ ଆରମ୍ଭ ହୋଇଥିଲାବେଳେ ୧୭ ହଜାରରେ ନିଲାମ ଧରିଥିଲେ ଶ୍ରଦ୍ଧାଳୁ ।