ଭୁବନେଶ୍ୱର: ଆସନ୍ତା ବୁଧବାର ତଥା ମାର୍ଚ୍ଚ୧ରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା । ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି । ତେବେ ଭୁବନେଶ୍ୱର ଠାରୁ ୧୦୦କିମି ବାହାରେ ଥିବା ହବ୍ କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯାଇଛି । ୧୦୦କିମି ପରିସରରେ ଥିବା ହବ୍ କେନ୍ଦ୍ରକୁ ଆସନ୍ତା ସୋମବାର ପ୍ରଶ୍ନପତ୍ର ପଠାଯିବ ବୋଲି +୨ ପରିଷଦର ଅଧିକାରୀ ସୂଚାନ ଦେଇଛନ୍ତି । ତେବେ ରାଜ୍ୟରେ ସମସ୍ତ ହବ୍ କେନ୍ଦ୍ରକୁ ୨୮ଟି ରୁଟ୍ରେ ପ୍ରଶ୍ନପତ୍ର ପଠାଇବା ଲାଗି ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିବସରେ ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର କିଛି ହବ୍କୁ ୮ଟି ରୁଟ୍ରେ ୮ଟି ବସ୍ରେ କଡାସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ପଠାଯାଇଛି ।
ଆସନ୍ତାକାଲି ମଧ୍ୟ ଆଉ ୮ଟି ବସ୍ରେ ପ୍ରଶ୍ନପତ୍ର ପଠଯିବ । ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯାଇଛି । ତାହାକୁ ନଜରରେ ରଖି ହବ୍ଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରିଷଦ ପକ୍ଷରୁ ସମସ୍ତ ହବ୍ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ହବ୍ରେ ପ୍ରଶ୍ନପତ୍ର ରଖିବା ଲାଗି ଆଇରନ୍ ଚେଷ୍ଟ୍, ୨୪ଘଣ୍ଟିଆ ସିସି କ୍ୟାମେରା ଏବଂ ପୁଲିସ୍ କିମ୍ବା ଅନ୍ୟାନ୍ୟ ସୁରକ୍ଷାକର୍ମୀ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ୨୦୨ଟି ହବ୍କେନ୍ଦ୍ର ମଧ୍ୟରୁ ବାଲେଶ୍ୱରରେ ମୋଟ୍ ୧୧ଟି ହବ୍ ସେଣ୍ଟର ବ୍ୟବସ୍ଥା କରାଯାଇଛି । ସେହିପରି ଭଦ୍ରଖରେ ୫ଟି, ବଲାଙ୍ଗିରରେ ୯ଟି, ସୋନପୁରରେ ୫ଟି, କଟକରେ ୧୪ଟି, ଜଗତସିଂପୁରରେ ୭ଟି, ଯାଜପୁରରେ ୭ଟି, କେନ୍ଦ୍ରାପଡାରେ ୭ଟି, ଅନୁଗୁଳରେ ୭ଟି, ଢ଼େଙ୍କାନାଳରେ ୭ଟି, ଗଞ୍ଜାମରେ ୧୬ଟି, ଗଜପତିରେ ୪ଟି, କଳାହାଣ୍ଡିରେ ୭ଟି, ନୂଆପଡାରେ ୩ଟି, କେନ୍ଦୁଝରରେ ୮ଟି, କୋରାପୁଟରେ ୬ଟି, ମାଲକାନଗିରିରେ ୩ଟି, ନବରଙ୍ଗପୁରରେ ୩ଟି, ରାୟଗଡାରେ ୫ଟି, ମୟୁରଭଞ୍ଜରେ ୯ଟି, ବୌଦ୍ଧରେ ୩ଟି, ଫୁଲବାଣୀରେ ୫ଟି, ଖୋର୍ଦ୍ଧାରେ ୧୨ଟି, ନୟାଗଡରେ ୫ଟି, ପୁରୀରେ ୭ଟି, ବରଗଡରେ ୮ଟି, ଦେବଗଡରେ ୨ଟି, ଝାରସୁଗୁଡାରେ ୩ଟି, ସମ୍ବଲପୁରରେ ୬ଟି, ସୁନ୍ଦରଗଡରେ ୮ଟି ହବ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।
ସେଥିମଧ୍ୟରୁ ୨୦୧ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ୱୟଂଶାସିତ କଲେଜ, ବିଶ୍ୱବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍-ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି । ଚଳିତ ବର୍ଷ ୧୧୪୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି, ଯାହାକି ୨୦୨ଟି ହବ୍ ଅଧୀନରେ ରହିଛି । ୨୦୧ ଯୁକ୍ତ୨ କଲେଜ ଅଧ୍ୟକ୍ଷ ହବ୍ ସୁପରଭାଇଜର ଭାବେ ନିଯୁକ୍ତ ହୋଇଛନ୍ତି । କୌଣସି ବି ପରିସ୍ଥିତିରେ ହବ୍ ସୁପରଭାଇଜର କିମ୍ବା ଡେପୁଟି ସୁପରଭାଇଜର ଷ୍ଟ୍ରଙ୍ଗ୍ ରୁମ୍କୁ ଏକା ଖୋଲି ପ୍ରବେଶ କରିପାରିବେ ନାହିଁ । ଯେତେବେଳେ ବି ଷ୍ଟ୍ରଙ୍ଗ୍ରୁମ୍ ଖୋଲାଯିବ ସେତେବେଳେ ଉଭୟ ଉପସ୍ଥିତ ରହିବା ବାଧ୍ୟତାମୂଳକ ।
ଚଳିତବର୍ଷ ଥିଓରୀ ପରୀକ୍ଷା ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ମୋଟ୍ ୩ଲକ୍ଷ ୫୮ହଜାର ୪୯୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପରୀକ୍ଷା ଦିନ ପରୀକ୍ଷା ଆରମ୍ଭ ହେବାର ୧ଘଣ୍ଟାରୁ ଦେଢ଼ ଘଣ୍ଟା ମଧ୍ୟରେ ପରୀକ୍ଷାକେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ôଚବ । ପ୍ରଶ୍ନପତ୍ର ପ୍ୟାକେଟ ଉପରେ ସିଲ ନଥିଲେ ପରୀକ୍ଷାକେନ୍ଦ୍ରର ସୁପରିଟେଣ୍ଡେଣ୍ଟ ପ୍ରଶ୍ନପତ୍ର ଗ୍ରହଣ କରିବେ ନାହିଁ । ଚଳିତବର୍ଷ ୪ସେଟ୍ ବିଶିଷ୍ଟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଛି । ଯଦିଓ କୌଣସି ଅବ୍ୟବସ୍ା କାରଣରୁ ଗୋଟିଏ ସେଟ୍ ପ୍ରଶ୍ନପତ୍ର ଲିକ୍ ହୋଇଯାଏ ତେବେ ଅନ୍ୟସେଟ୍ ପ୍ରଶ୍ନପତ୍ର ମାଧ୍ୟମରେ ପରୀକ୍ଷାକରାଯିବ । ଚଳିତବର୍ଷ ପରୀକ୍ଷା ପରିଚାଳନା ଲାଗି ୨୦୨ ହବ୍ ଖର୍ଚ୍ଚ ବାବଦରେ ୧ କୋଟି ୫୯ ଲକ୍ଷ ୪୮ ହଜାର ଟଙ୍କା ମଞ୍ଜୁର ହୋଇଛି ।
ଏହି ଅର୍ଥ ହବ୍ର ଅଧିକାରୀ, ଅବଜରଭର, ଡାକଘରକୁ ଉତ୍ତର ଖାତାଗୁଡ଼ିକୁ ପରିବହନ, ଗାଡ଼ି ଭଡ଼ା ଆଦି ଲାଗି ଖର୍ଚ୍ଚ କରାଯିବ । ତେବେ ପରୀକ୍ଷା ଆରମ୍ଭ ପୂର୍ବରୁ ମାତ୍ର ସପ୍ତାହ ପୂର୍ବରୁ ପରିଷଦର କିଛି ଅଧିକାରୀଙ୍କୁ କାର୍ଯ୍ୟରୁ ବିଦା କରିବା ସହ ନୁଆ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନକୁ ଚର୍ଚ୍ଚା ହେଉଛି ।