ଇମ୍ଫାଲ୍ : ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯିବା ପରେ କୋର୍ଟ ସେମାନଙ୍କୁ ୧୧ ଦିନ ପାଇଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ କହିଛନ୍ତି । ସେ କହିଛନ୍ତି, ତାଙ୍କ ସରକାର ଦୁଇଜଣ ମହିଳାଙ୍କୁ ପୁରୁଷଙ୍କ ଏକ ଗ୍ରୁପ୍ ଉଲଗ୍ନ କରି ରାସ୍ତାରେ ବୁଲାଇବାର ଭାଇରାଲ୍ ଭିଡିଓକୁ ନିନ୍ଦା କରୁଛି । ଏହା ସହିତ ଘାଟି ଏବଂ ପାହାଡ଼ ଉଭୟ ସ୍ଥାନରେ ରାଜ୍ୟବ୍ୟାପୀ ନିନ୍ଦା କାର୍ଯ୍ୟକ୍ରମର ଆୟୋଜନ ପାଇଁ ସେ ଘୋଷଣା କରିଛନ୍ତି । ଶୁକ୍ରବାର ଭିଡିଓକୁ ନିନ୍ଦାକରି ଆୟୋଜିତ ଏକ ବିଶାଳ ସାର୍ବଜନୀନ ସଭାରେ ଭାଗନେଇ ବୀରେନ୍ ସିଂହ ଏହି ଘଟଣାକୁ ‘ମାନବିକତା ବିରୋଧରେ ଅପରାଧ’ ବୋଲି କହିଛନ୍ତି । ଏହି ଲୋମହର୍ଷଣକାରୀ ଦୁଷ୍କର୍ମ ମାମଲାରେ ପୁଲିସ ଗୁରୁବାର ସକାଳେ ଥୌବାଲ ଜିଲ୍ଲାରୁ ମୁଖ୍ୟ ଅଭିଯୁକ୍ତ ହୁଇରମ୍ ହିରୋଦାସ ମୈତେଇ (୩୨)କୁ ଗିରଫ କରିଥିଲା । ହିରୋଦାସକୁ ମିଶାଇ ଏହି ମାମଲାରେ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ସୂଚନାଯୋଗ୍ୟ ମେ’ ୩ରୁ ମଣିପୁରରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଜାତିଗତ ହିଂସାର ସୂତ୍ରପାତ ହୋଇଥିଲା । ଏହାର ଦିନକ ପରେ ଅର୍ଥାତ ମେ’ ୪ରେ ରାଜଧାନୀ ଇମ୍ଫାଲଠାରୁ ୩୫ କିମି ଦୂର କାଙ୍ଗ୍ପୋକ୍ପି ଜିଲ୍ଲାରେ ଏହି ହୃଦୟ ବିଦାରକ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ମୁଷ୍ଟିମେୟ ଲୋକ କୁକି ସଂପ୍ରଦାୟର ଦୁଇଜଣ ମହିଳାଙ୍କୁ ନିକଟସ୍ଥ ଧାନବିଲରେ ଗଣଦୁଷ୍କର୍ମ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇଥିଲେ । ପୀଡ଼ତା ମହିଳାଦ୍ୱୟ କ୍ରନ୍ଦନ କରିବା ସହ ଛାଡ଼ିଦେବାକୁ ଗୁହାରି କରୁଥିବାବେଳେ ଅଭିଯୁକ୍ତମାନେ ସେମାନଙ୍କ ପ୍ରତି ଯୌନ ନିର୍ଯାତନା ଦେଉଥିବା ଭିଡିଓରୁ ଜଣାପଡିଛି । ଘଟଣାର ପ୍ରାୟ ଅଡେଇ ମାସ ପରେ ଏହି ଭିଡିଓ ଭାଇରାଲ ହୋଇଥିବାବେଳେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଘଟଣା ଘଟିବା ଏବଂ ଏହାର ଭିଡିଓ ଭାଇରାଲ ହେବାମଧ୍ୟରେ କିଛିମାସର ବ୍ୟବଧାନ ରହିଥିବାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରିନଥିଲା ବୋଲି ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି ।