ନୂଆଦିଲ୍ଲୀ: ଗୁଗୁଲ ଏବା ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ, ଭାରତୀୟ ମୋବାଇଲ ଉପଭୋକ୍ତାଙ୍କୁ ଆଶ୍ୱସ୍ତି ଦେଇଛି । ରିପୋର୍ଟ ଅନୁସାରେ ଗୁଗୁଲ୍ ପକ୍ଷରୁ ପ୍ଲେଷ୍ଟୋରରୁ ହଟାଇ ଦିଆଯାଇଥିବା କେତେକ ଭାରତୀୟ ମୋବାଇଲ ଆପ୍ସଗୁଡ଼ିକୁ ଏବେ ପୁନର୍ବାର ରିଷ୍ଟୋର କରାଯିବା ନେଇ ବାଟ ପରିଷ୍କାର ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ଗୁଗୁଲ୍ର ଅଧିକାରୀମାନଙ୍କ ସହ ଏକ ବୈଠକ କରିବା ପରେ ଏହି ସମସ୍ୟାର ସମାଧାନ ହୋଇପାରିଥିବା ସୂଚନା ମିଳିଛି ।ପ୍ଲେଷ୍ଟୋରରୁ ଆପ୍ସ ଡାଉନ୍ଲୋଡ୍ ଏବଂ ଆକ୍ସେସ୍ କରାଯିବା ପ୍ରକ୍ରିୟା ଅନ୍ତର୍ଗତ ଗୁଗୁଲ୍, କମ୍ପାନୀଙ୍କ ଠାରୁ ପୁରୁଣା ସେବା ଶୁଳ୍କ ତୁଳନାରେ ଏବେ ନୂଆ ତଥା ବର୍ଦ୍ଧିତ ସେବା ଶୁଳ୍କ ଦାବି କରିଆସୁଥିଲା । ଯାହାକି ପୁରୁଣା ସେବା ଶୁଳ୍କ ତୁଳନାରେ ପ୍ରାୟ ୧୧%ରୁ ୨୬% ଅଧିକ ରହିଥିଲା । ଅନ୍ୟପକ୍ଷେ ଗୁଗୁଲ୍ର ଏପ୍ରକାର ନିଷ୍ପତ୍ତିକୁ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ବିରୋଧ କରିଆସୁଥିଲେ । ଏହାକୁ ନେଇ ଭାରତୀୟ ଷ୍ଟାର୍ଟଅପ୍ କମ୍ପାନୀ ଏବଂ ଗୁଗୁଲ୍ ମଧ୍ୟରେ ବିବାଦର ସୂତ୍ରପାତ୍ର ହୋଇଥିଲା । ତେବେ ଦିନକ ପୂର୍ବେ ଏସବୁ କମ୍ପାନୀର ମୋବାଇଲ୍ ଆପ୍ସଗୁଡ଼ିକୁ ଆଶ୍ଚର୍ଯ୍ୟଜନକ ଭାବେ ଗୁଗୁଲ୍ ନିଜ ପ୍ଲେଷ୍ଟୋରରୁ ହଟାଇ ଦେଇଥିଲା । ଅବଶ୍ୟ ଉଭୟ ପକ୍ଷ ମଧ୍ୟରେ ଏହି ବିବାଦ ଦୀର୍ଘଦିନ ଧରି ଚାଲିଆସୁଥିବା ବେଳେ ଗୁଗୁଲ୍ ଏହି ମାମଲାରେ ଭାରତୀୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇସାରିଛି । ସେସମୟରେ କୋର୍ଟ ମଧ୍ୟ ଗୁଗୁଲ୍କୁ ସେବା ଶୁଳ୍କ ଆଦାୟ କରିବାକୁ ନଚେତ୍ ଆପ୍ସ ଅପସାରଣ କରିବାକୁ ଅନୁମତି ଦେଇଥିଲେ । ଫଳରେ ଗୁଗୁଲ୍ ଏସବୁ ଆପ୍ସକୁ ପ୍ଲେଷ୍ଟୋରରୁ ହଟାଇବା ପାଇଁ ସାହସ କରିଥିଲା । ମାଟ୍ରିମୋନି.କମ୍ର ପ୍ରତିଷ୍ଠାତା ମୁରୁଗାଭେଲ୍ ଜନକିରମନ୍ ଏହାକୁ ଭାରତୀୟ ଇଣ୍ଟରନେଟ୍ ଜଗତ ପାଇଁ କଳାଦିବସ ବୋଲି ଅଭିହିତ କରିଥିଲେ ।
ପ୍ରକାଶ, ଏସବୁ ଆପ୍ସରେ ଭାରତ ମାଟ୍ରିମୋନି, ନୌକରୀ.କମ୍ ଭଳି ୧୦ଟି ଲୋକପ୍ରିୟ ଭାରତୀୟ ଆପ୍ସ ମଧ୍ୟ ସାମିଲ ରହିଥିଲା । ଏସବୁ କମ୍ପାନୀର ମାଲିକମାନେ ବାଧ୍ୟହୋଇ ଆମେରିକାର ଏହି ବୃହତ୍ କମ୍ପାନୀ ବିରୋଧରେ କେନ୍ଦ୍ର ସରକାରଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଗୁଗୁଲ୍ର ଏପ୍ରକାର ମନମାନିକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିବା ସହ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ ଏହି ଘଟଣାରେ ଗୁଗୁଲ୍ର ଅଧିକାରୀମାନଙ୍କ ସହ ଏକ ଆଲୋଚନା ବୈଠକ କରିଥିଲେ । ଏହାପରେ ଗୁଗୁଲ୍ ମଧ୍ୟ ପୁନର୍ବାର ଏସବୁ ଭାରତୀୟ ଆପ୍ସଗୁଡିକୁ ପ୍ଲେଷ୍ଟୋରରେ ରିଷ୍ଟୋର କରିବାକୁ ରାଜି ହୋଇଥିବା ସୂଚନା ମିଳିଛି । ତେବେ ରିପୋର୍ଟ ଅନୁସାରେ ବୈଠକରେ ସହମତି ପ୍ରକାଶ ପାଇବା ମାତ୍ରେ ଗୁଗୁଲ୍ ତୁରନ୍ତ ଏସବୁ ଭାରତୀୟ ଆପ୍ସଗୁଡ଼ିକୁ ପୁନଃ ପ୍ଲେଷ୍ଟୋରରେ ଉପଲବ୍ଧ କରାଇବା ପ୍ରକ୍ରିୟା ଆରମ୍ଭ କରିଦେଇଥିବା ନେଇ ସୂଚନା ମିଳିଛି ।