ଏଥେନ: ଚାମ୍ପିଅନ୍ସ ଲିଗ୍ ୨୦୨୩ ଚାମ୍ପିଅନ୍ ମାଞ୍ଚେଷ୍ଟର ସିଟି ପେନାଲ୍ଟି ଶୁଟ୍ଆଉଟ୍ରେ ୟୁରୋପା ଲିଗ୍ ଚାମ୍ପିଅନ୍ ସେଭିଲାକୁ ହରାଇ ପ୍ରଥମ ଥର ପାଇଁ ୟୁଇଏଫ୍ଏ ସୁପର୍ କପ୍ ଟାଇଟଲ୍ ଜିତିଛି । ଏଥେନ୍ସର କାରେସ୍କାକିସ୍ ଷ୍ଟାଡିୟମ୍ରେ ବୁଧବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ ନିୟମିତ ସମୟ ମଧ୍ୟମରେ ମ୍ୟାଚ୍ ୧-୧ରେ ସମାନ ରହିବା ପରେ ପେନାଲ୍ଟି ଶୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ଏଥିରେ ସିଟି ୫-୪ ଗୋଲ୍ରେ ସେଭିଲାକୁ ହରାଇ ସୁପର୍ କପ୍ ଜିତିଥିଲା । ସେଭିଲାର ୟୁସୁଫ୍ ଏନ୍-ନେସିରୀ (୨୫ତମ ମିନିଟ୍) ମ୍ୟାଚ୍ର ପ୍ରଥମାର୍ଦ୍ଧରେ ହେଡର୍ ଜରିଆରେ ଚମତ୍କାର ଗୋଲ୍ କରି ଟିମ୍କୁ ଅଗ୍ରଣୀ କରାଇଥିଲେ ।
ତେବେ ମ୍ୟାଚ୍ର ୬୩ତମ ମିନିଟ୍ରେ ସିଟିର କୋଲ୍ ପାମର୍ ମଧ୍ୟ ହେଡର୍ ଜରିଆରେ ଗୋଲ୍ କରି ଟିମ୍କୁ ସମାନ ସ୍ତରକୁ ଆଣିଥିଲେ ଏବଂ ମ୍ୟାଚ୍ ପେନାଲ୍ଟି ଶୁଟ୍ଆଉଟ୍କୁ ଯାଇଥିଲା । ୧୯୭୩ରୁ ଆରମ୍ଭ ହୋଇଥିବା ୟୁଇଏଫ୍ଏ ସୁପର୍ କପ୍ର ଏହା ୪୮ତମ ସଂସ୍କରଣ । ୟୁରୋପିଆନ୍ ୟୁନିୟନ୍ ଅଫ୍ ଫୁଟ୍ବଲ୍ ଆସୋସିଏସନ୍ ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟ୍ରେ କେବଳ ଗୋଟିଏ ମ୍ୟାଚ୍ ଖେଳାଯାଇଥାଏ । ଏହି ମ୍ୟାଚ୍ ୟୁଇଏଫ୍ଏ ଚାମ୍ପିଅନ୍ସ ଲିଗ୍ ବିଜେତା ଏବଂ ୟୁରୋପା ଲିଗ୍ ବିଜେତା ମଧ୍ୟରେ ହୋଇଥାଏ । ପାଞ୍ଚ ଥର ଲେଖାଏଁ ଟ୍ରଫି ଜିତି ବାର୍ସିଲୋନା, ମିଲାନ୍ ଓ ରିୟଲ୍ ମାଡ୍ରିଡ୍ ଲିଗ୍ର ସବୁଠୁ ସଫଳତମ ଟିମ୍ ରହିଛନ୍ତି ।