32.1 C
Bhubaneswar
Saturday, October 19, 2024
Homeଓଡିଶାମମିତା ମେହେର ହତ୍ୟା ନେଇ ପୁଣି ଘେରିଲେ ବିରୋଧୀ, ଗୃହ ଉଷ୍ଣ

ମମିତା ମେହେର ହତ୍ୟା ନେଇ ପୁଣି ଘେରିଲେ ବିରୋଧୀ, ଗୃହ ଉଷ୍ଣ

– କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ୍ କରୁଛନ୍ତି ତଦନ୍ତ: ମନ୍ତ୍ରୀ
– କ୍ରାଇମ୍‌ବ୍ରାଞ୍ଚ ବିଶ୍ୱସନୀୟତା ହରାଇଛି : ମୋହନ
– ମେଡ଼ିକାଲ ରିପୋର୍ଟରେ ମ୍ୟାନୁପୁଲେସନ ଆଶଙ୍କା

ଭୁବନେଶ୍ୱର: ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ପୁଣି ସରାକାରଙ୍କୁ ଘେରିଛନ୍ତି । ଏହାକୁ ନେଇ ଗୃହ ଉଷ୍ଣ ହେ।।ଇଛି । ଉଭୟ ମାମଲାରେ ସତ୍ୟ ଉନ୍ମୋଚନ କରିବାରେ ପୁଲିସ୍ ସଂପୂର୍ଣ୍ଣ ବିଫଳ ହୋଇଛି ଏବଂ ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ବିଶ୍ୱସନୀୟତା ହରାଇଛି ବୋଲି ବିଜେପି ମୁଖ୍ୟ ସଚତେକ ମୋହନ ଚରଣ ମାଝୀ ଅଭିଯୋଗ କରିଥିଲାବେଳେ ମେଡ଼ିକାଲ ରିପୋର୍ଟରେ ମ୍ୟାନୁପୁଲେସନ ହୋଇଥିବା ଆଶଙ୍କା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତେବେ କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ୍ କରୁଛନ୍ତି ତଦନ୍ତ ହେଉଛି । ତଦନ୍ତକାରୀ ଅଧିକାରୀ ଅନୁଭବ କଲେ ୧୨୦-ବି ଦିଗ ଉପରେ ତଦନ୍ତ ହେବ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଉତ୍ତର ରଖିଛନ୍ତି । ଏଥିରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷତ୍ୟାଗ କରି ଚାଳିଯାଇଥିଲେ ।

ସୋମବାର ବିଧାନସଭାରେ ବିରୋଧୀ ଦଳ ପକ୍ଷରୁ ‘ମମିତା ମେହେର ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁସତ୍ୟ ଉନ୍ମୋଚନ କରିବାରେ ପୁଲିସ୍ ବିଫଳ’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ସରକାରଙ୍କୁ ଶାଣିତ ଆକ୍ରମଣ କରିଥିଲେ । ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ପ୍ରକୃତରେ ହତ୍ୟା ନା’ ଆତ୍ମହତ୍ୟା ତଦନ୍ତକାରୀ ସଂସ୍ଥା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି । ନୟାଗଡ଼ ପରୀ,ଯାଜପୁର ସ୍ମିତାରାଣୀ, ମାହାଙ୍ଗା ଡବଲ ମଡ଼ର୍ର, ଏସିଏଫ୍ ସୌମ୍ୟରଞ୍ଜନ, କ୍ୟାମେରାମ୍ୟାନ୍ ମାନସ୍ ପ୍ରସଙ୍ଗ ଉଠାଇ କ୍ରାଇମବ୍ରାଞ୍ଚ ବିଶ୍ୱସନୀୟତା ହରାଇଛି । ମମିତା ମେହେର ହତ୍ୟା ଓ ଗୋବିନ୍ଦ ସାହୁର ରହସ୍ୟଜନକ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ସରକାର ସ୍ପଷ୍ଟ କରିବେ କି ତାଙ୍କ ତଦନ୍ତ କାରୀ ସଂସ୍ଥା କେତେ ସ୍ୱଚ୍ଛ । ନଚେତ୍ ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ ବୋଲି ସେ ଦାବି କରିଥିଲେ ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉତ୍ଥାପନ କରିଛନ୍ତି । ସେ କହିଛନ୍ତି ଯେ, ଗୃହରାଷ୍ଟ୍ର ମନ୍ତ୍ରୀ ତାଙ୍କ ଉତ୍ତରରେ କଣ୍ଟାବାଞ୍ଜି ଜୁର୍ଡିସିଆଲ ମାଜିଷ୍ଟେଟଙ୍କ ଦ୍ୱାରା ଅନୁସନ୍ଧାନ ଜାରି ରହିଛି ବୋଲି କହିଛନ୍ତି । ହେଲେ ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ଅପମୃତ୍ୟ ମାମଲା ରୁଜୁ ହୋଇଛି । ଅପମୃତ୍ୟ ମାମଲାରେ ତଦନ୍ତ ହେବ, ଅନୁସନ୍ଧାନ ହେବନାହିଁ । ଅପମୃତ୍ୟୁ ମାମଲାରେ ତଦନ୍ତ ପାଇଁ ୨୪ରୁ୪୮ ଘଣ୍ଟା ଲାଗିବା କଥା । ମାତ୍ର ୩ ମାସ ତଦନ୍ତ କରାଯାଏ ଏହା ଶୁଣା ଯାଇନି । ସେହିପରି ମେଡ଼ିକାଲ ରିପୋର୍ଟ ସମୟରେ ବି କିଛି ‘ମ୍ୟାନୁପୁଲେସନ’ ହୋଇଥିବା ଆଶଙ୍କା କରାଯାଉଛି । ତେଣୁ କ୍ରାଇମବ୍ରାଞ୍ଚର ବିଶ୍ୱସନୀୟତା ନେଇ ପ୍ରଶ୍ନ ଉଠାଇ ଶ୍ରୀ ମିଶ୍ର ଏସ୍‌ଆଇଟି ମାଧ୍ୟମରେ ତଦନ୍ତ ପାଇଁ ଦାବି କରିଛନ୍ତି । ସେ ପୁଣି କହିଛନ୍ତି ଯେ, ରାଜ୍ୟରେ ସରକାର ଚାଲୁଛି କି ନାହି ସନ୍ଦେହରେ । ସେହିପରି କଂଗ୍ରେସ ସଭ୍ୟ ସନ୍ତୋଷ ସିଂ ସାଲୁଜା, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଓ ବିଜେପି ସଭ୍ୟା କୁସୁମ ଟେଟେ ସରକାରଙ୍କୁ ସମାଲୋଚନା କରଇଥିଲେ ।

ଶାସକ ସଭ୍ୟ ଅରୁଣ କୁମାର ସାହୁ ଓ ବିଧାୟିକା ଲତିକା ପ୍ରଧାର ବିରୋଧୀଙ୍କ ସବୁ ଅଭିଯୋଗ ତଥ୍ୟ ଉପରେ ଆଧାରିତ ନୁହେଁ ବୋଲି ମତ ଦେଇଛନ୍ତି । ସେମାନେ କହିଛନ୍ତି ଯେ, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ତତ୍ତ୍ୱାବଧାନରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି । ସବୁ କ୍ଷେତ୍ରକୁ ଦୃଷ୍ଟିରେ ରଖି ତଦନ୍ତ ଚାଲିଛି । ତେଣୁ ତଦନ୍ତ ସରିବା ଯାଏ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ଶେଷରେ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଲତବୀ ପ୍ରସ୍ତାବ ଆଲୋଚନାରେ ଉତ୍ତର ଦେଇ କହିଥିଲେ ଯେ, ଗତ ୨୦ ଡିସେମ୍ବର ୨୦୨୨ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ରେ ମମିତା ମେହେର ଅପହରଣ ଓ ହତ୍ୟା ଅପମୃତ୍ୟୁ ମାମଲା ସଂଖ୍ୟା ୧୫ /୨୦.୧୨.୨୦୨୨ରେ ରଜ୍ଜୁ ହୋଇଛି । ମୃତ ଗୋବିନ୍ଦ ସାହୁ ମମିତା ମେହେର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ ଦ୍ୱାରା ଅପମୃତ୍ୟୁ ମାମଲା ସଂଖ୍ୟା ୧/୨୦୨୨ ରଜୁ କରାଯାଇ ଅନୁସନ୍ଧାନ ଜାରି ରହିଛି ।

ଏହି ମାମଲାର କ୍ରାଇମବ୍ରାଞ୍ଚ୍ ତଦନ୍ତ ସହ ନ୍ୟାୟିକ ତଦନ୍ତ ଚାଲିଛି । କଣ୍ଟାବାଞ୍ଜି ଜୁଡିସିଆଲ ମାଜିଷ୍ଟେଟ ତଦନ୍ତ କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ, ଘଟଣାସ୍ଥଳରୁ ମିଳିଥିବା ସମସ୍ତ ତଥ୍ୟକୁ ଭିଡିଓ ଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ବିଶେଷଜ୍ଞଙ୍କ ରିପୋର୍ଟକୁ ଆଧାର କରି ଏହି ତଥ୍ୟ ଗୃହରେ ରଖାଯାଇଛି । ପୋଷକରୁ ମିଳିଥିବା ଲଫାପା ପୁଲିସ ପାଖରେ ଅଛି । ଗୋବିନ୍ଦଙ୍କ ହାତଲେଖା ଚିଠିକୁ ପାଇବାକୁ ହେଲେ ତାଙ୍କ ପରିବାର ଲୋକ କୋର୍ଟରେ ଆଶ୍ରୟ ନେଇ ପାରିବେ । ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶରେ ତଦନ୍ତ ଜାରି ରହିଛି । ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ବିଭିନ୍ନ ଦିଗ ଉପରେ ଫୋକସ ରହିଛି । ବିରୋଧୀ ଯେଉଁ ୧୨୦ ବି ଷଡ଼ଯନ୍ତ୍ର କଥା କହୁଛନ୍ତି, ତଦନ୍ତକାରୀ ଅଧିକାରୀ ଅନୁଭବ କଲେ ସେ ଦିଗ ବି ତଦନ୍ତ ହେବ ବୋଲି ଗୃହରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବେହେରା ସ୍ପଷ୍ଟ କରିଛନ୍ତି । ଏଥିରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଗୃହଛାଡ଼ି ଚାଲିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking