କୋଲକାତା: କୋଲକାତାର ଆର୍ଜି ମେଡିକାଲ୍ କଲେଜର ଜଣେ ଟ୍ରେନି ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଏବେ ଦେଶବ୍ୟାପୀ ଆଲୋଡନ ସୃଷ୍ଟି ହୋଇଛି । ଏସବୁ ମଧ୍ୟରେ ମଙ୍ଗଳବାର କୋଲକାତା ହାଇକୋର୍ଟ ଏହି ଘଟଣାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଘଟଣାର ତଦନ୍ତ କରୁଥିବା କୋଲକାତା ପୁଲିସ୍କୁ ସମସ୍ତ କାଗଜପତ୍ର ତଥା ବର୍ତ୍ତମାନ ସମୟ ସୁଦ୍ଧା ମିଳିଥିବା ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ରାଜ୍ୟ ପୁଲିସକୁ କହିଛନ୍ତି । ମୃତ ଟ୍ରେନି ଡାକ୍ତରାଣୀଙ୍କ ପରିବାର ପକ୍ଷରୁ ସିବିଆଇ ତଦନ୍ତ ନେଇ ଦାବି କରାଯାଇଥିଲା । ଏତଦ୍ବ୍ୟତୀତ ଆର୍ଜି ମେଡିକାଲ କଲେଜରେ ମେଡିକାଲ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ମେଡିକାଲ୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଥିଲା । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷେ ଏହି ମାମଲାର ଶୁଣାଣି ସମୟରେ କୋଲକାତା ହାଇକୋର୍ଟ ଆଜି ଆର୍ଜି ମେଡିକାଲ କଲେଜ୍ର ପୂର୍ବତନ ପ୍ରିନ୍ସପାଲ (ଅଧ୍ୟକ୍ଷ) ତଥା କୋଲକାତା ନ୍ୟାସନାଲ ମେଡିକାଲ କଲେଜ୍ (ସିଏନ୍ଏମ୍ସି)ର ଅଧ୍ୟକ୍ଷ ଡ. ସନ୍ଦୀପ ଘୋଷଙ୍କୁ ନିଜ ଆଡୁ (ସ୍ୱତଃ ପ୍ରବୃତ୍ତ ଭାବେ) ଛୁଟିରେ ଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ନିର୍ଦ୍ଦେଶ ପାଳନ ନହେଲେ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ମଧ୍ୟ ହାଇକୋର୍ଟ ପ୍ରିନ୍ସପାଲ୍ଙ୍କୁ ଚେତାବନୀ ଦେଇଛନ୍ତି । ହାଇକୋର୍ଟ କହିଛନ୍ତି, ଯେତେବେଳେ ଜଣେ ଛାତ୍ରୀଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ଭଳି ଘଟଣା ଘଟିଯାଉଛି ସେତେବେଳେ ଜଣେ କଲେଜ ଅଧ୍ୟକ୍ଷ ଭାବେ କାହିଁକି ସର୍ବପ୍ରଥମେ ତାଙ୍କ ପକ୍ଷରୁ ଅଭିଯୋଗ କରାଯାଇନାହିଁ ଏହା ସନ୍ଦେହଜନକ । ପ୍ରକାଶ, ଆନ୍ଦୋଳନ ବ୍ୟାପକ ହେବା ପରେ ସନ୍ଦୀପ ଘୋଷ ଆରଜି ମେଡିକାଲ କଲେଜର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଏବଂ ସେହିଦିନ ହିଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଲକାତା ନ୍ୟାସନାଲ ମେଡିକାଲ କଲେଜର ଅଧ୍ୟକ୍ଷ ଭାବେ ଯୋଗଦେଇଥିଲେ ।
ପ୍ରକାଶ, ଟ୍ରେନି ଡାକ୍ତରାଣୀଙ୍କ ସହ ଘଟିଯାଇଥିବା ଏପ୍ରକାର ପାଶବିକ ଘଟଣା ବିରୋଧରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏଫ୍ଏଆଇଏମ୍ଏ (ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ ଆସୋସିଏସନ୍) ଦେଶବ୍ୟାପୀ ଧର୍ମଘଟ (ଅଗଷ୍ଟ ୧୩ ମଙ୍ଗଳବାର) ଘୋଷଣା କରିଥିଲା । ସମଗ୍ର ଦେଶରେ ଓପିଡି ସେବା ବନ୍ଦ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା । ଏହା ପୂର୍ବରୁ ଫୋର୍ଡା (ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ରେସିଡେଣ୍ଟ ଡାକ୍ତର ଆସୋସିଏସନ୍) ମଧ୍ୟ ସାରା ଦେଶରେ ଧର୍ମଘଟ କରାଯିବ ବୋଲି ଘୋଷଣା କରିଥିଲା । କିନ୍ତୁ ଏବେ ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇସାରିଥିବା ବେଳେ ଧର୍ମଘଟକୁ ସ୍ଥଗିତ ରଖାଯାଇଛି ।










