ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ, ମାରିବେଡ଼ା ପଞ୍ଚାୟତର ରାଖେଲଗୁଡ଼ା ଗ୍ରାମରେ ଆଦିବାସୀ ମହିଳାଙ୍କୁ ନୃଶଂସ ଭାବେ ହତ୍ୟା କରିବା ଘଟଣାରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ । ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ବଙ୍ଗୀୟ ଶରଣାର୍ଥୀ ପରିବାରର ବ୍ୟକ୍ତିକୁ ଗିରଫ କରି ପୋଲିସ୍ ଓ ପ୍ରଶାସନ ଚୁପ୍ ରହିବା ଆଶ୍ଚର୍ଯ୍ୟକର । ରାଜ୍ୟ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଏହି ହୃଦୟବିଦାରକ ଏବଂ ଲୋମହର୍ଷଣକାରୀ ଆଦିବାସୀ ମହିଳା ହତ୍ୟାକାଣ୍ଡ ଘଟଣା ଓ ହଜାର ହଜାର ଆଦିବାସୀ ଲୋକଙ୍କ ପ୍ରତିବାଦ ମେଳି ସଂପର୍କରେ ଜଣାପଡ଼ିବା ସତ୍ତ୍ୱେ ରାଜ୍ୟ ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ ଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦଟିଏ ମଧ୍ୟ ନକହିବା ଦୁର୍ଭାଗ୍ୟଜନକ । ବଙ୍ଗୀୟ ଶରଣାର୍ଥୀମାନେ ହିଁ ବିଜେପିର ମୁଖ୍ୟ ସମର୍ଥନକାରୀ । ତେଣୁ ରାଜ୍ୟ ବିଜେପି ଓ ରାଜ୍ୟ ସରକାର ପାର୍ଟି ଖୋଲୁ ନାହାଁନ୍ତି । ଏହା ସ୍ପଷ୍ଟ ହୋଇଛି । ରାଖେଲଗୁଡ଼ା ଘଟଣା ଏକ ବିଚ୍ଛିନ୍ନ ଘଟଣା ନୁହେଁ । ଶରଣାର୍ଥୀ ମାନଙ୍କୁ ଆଇନଗତ ଭାବେ ଥଇଥାନ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଧିଷ୍ଟ ପରିମାଣର ଜମି ଓ ଘର ପଟ୍ଟା ଦେଇଛନ୍ତି । କିନ୍ତୁ ପୁରୁଷାନୁକ୍ରମିକ ଭାବେ ଆଦିବାସୀ ଲୋକେ ବସବାସ କରୁଥିଲେ ସୁଦ୍ଧା ସେମାନଙ୍କ ନିଜ ଜମିର ପଟ୍ଟା ନାହିଁ । ଏପରିକି ଜାତି ସାର୍ଟିଫିକେଟ୍ ପ୍ରଦାନରେ ମଧ୍ୟ ନାନା କଟକଣା ଲାଗୁ କରାଯାଉଛି ।
ଏହାର ସୁଯୋଗରେ ଆଦିବାସୀ ଲୋକଙ୍କ ଜମି ଏବଂ ସରକାରୀ ଜମିକୁ ବଙ୍ଗୀୟ ଶରଣାର୍ଥୀମାନେ ଚଞ୍ଚକତା କରି ଦଖଲ କରିନେବା ଏକ ସାଧାରଣ ଘଟଣା ହୋଇଛି । ଏଥିପାଇଁ ବର୍ଷ ବର୍ଷ ଧରି ଆଦିବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ରହି ଆସିଛି । ଏଣୁ ରାଖେଲଗୁଡ଼ା ହତ୍ୟାକାଣ୍ଡ ଏକ ସୁଚିନ୍ତିତ ଜଘନ୍ୟ ହତ୍ୟାକାଣ୍ଡ ଏବଂ ଏହା ପଛର କାରଣର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଆବଶ୍ୟକ । ମାଲକାନଗିରି ଜିଲ୍ଲା ସମ୍ବିଧାନର ପଞ୍ଚମ ସିଡ଼୍ୟୁଲଭୁକ୍ତ ଜିଲ୍ଲା, ପେଶା ଆଇନ ଅନୁଯାୟୀ ଜିଲ୍ଲାରେ ପଞ୍ଚାୟତ, ଗ୍ରାମସଭା ଆଦିର ସଂପୂର୍ଣ୍ଣ ଅଧିକାର ରହିଛି । କିନ୍ତୁ ରାଜ୍ୟ ସରକାର ପେଶା ଆଇନକୁ ଫୁତ୍କାର କରି ଆଦିବାସୀ ଲୋକଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରି ଆସୁଛନ୍ତି । ନିଜ ଭିଟାମାଟିରୁ ଆଦିବାସୀ ମାନଙ୍କୁ ବେଦଖଲ କରିବା, ବେଆଇନ ଭାବେ ସେମାନଙ୍କ ଜମିକୁ ଛଡ଼େଇ ନେବା ବରଂ ଆଇନ ସମ୍ମତ କାର୍ଯ୍ୟ ଭାବେ ପ୍ରଶାସନ ଧରି ନେଇଛି । ରାଜ୍ୟ ବିଜେପି ସରକାର ପ୍ରତିଷ୍ଠା ହେବା ପରଠାରୁ ମାଲକାନଗିରି ଜିଲ୍ଲାରେ ଆଦିବାସୀମାନଙ୍କ ମଧ୍ୟରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରି ଆଦିବାସୀ ମାନଙ୍କ ମଧ୍ୟରେ ବିଭେଦ ଏବଂ ସାଂପ୍ରଦାୟିକ ଭିତ୍ତିରେ ଲୋକଙ୍କୁ ଭାଗ ଭାଗ କରିବା କାର୍ଯ୍ୟକୁ ପ୍ରାଥମିକତା ଦେଇ ଆସୁଥିବା ଦେଖା ଦେଇଛି ।
ଏହି ପରିପ୍ରେକ୍ଷୀରେ ମାଲକାନଗିରିରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ସକାଶେ ନିବେଦନ କରୁଛୁ । ରାଜ୍ୟ ସରକାର, ବଙ୍ଗୀୟ ଶରଣାର୍ଥୀମାନଙ୍କୁ ଆଇନଗତ ଭାବେ ପ୍ରଦାନ କରାଯାଇଥିବା ଜମି ପରିମାଣ ମଧ୍ୟରେ ସିମୀତ କରିବାକୁ ଏବଂ ବେଆଇନ ଭାବେ ଦଖଲ କରିଥିବା ଜମିର ସଂପୂର୍ଣ୍ଣ ତଦନ୍ତ କରି ବେଦଖଲ କରିବା, ହତ୍ୟାର ଶିକାର ହୋଇଥିବା ମହିଳାଙ୍କ ପରିବାରକୁ ୩୦ଲକ୍ଷ ଟଙ୍କା କ୍ଷତିପୂରଣ, ମାଲକାନଗିରି ଜିଲ୍ଲାରେ ରାଜ୍ୟ ସରକାର ଓଡ଼ିଶା ସିଡ଼୍ୟୁଲ ଏରିଆ ଟ୍ରାନ୍ସଫର ରେଗୁଲେସନ, ୧୯୫୬ – ରୁଲ ୨କୁ କଡ଼ାକଡ଼ି କରିବା ଏବଂ ନିଜଆଡ଼ୁ ତଦନ୍ତ କରି ବେଆଇନ ସତ୍ତ୍ୱେ ଦଖଲ ଜମିରୁ ବେଦଖଲ କରି ଆଦିବାସୀ ଲୋକଙ୍କୁ ପ୍ରଦାନ, ଜିଲ୍ଲାରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁଯାୟୀ ସମସ୍ତ ଆଦିବାସୀ ପାରମ୍ପରିକ ଅଧିବାସୀମାନଙ୍କୁ ୧୦ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମି ପ୍ରଦାନ, ଆଦିବାସୀ ମହିଳା ହତ୍ୟା ଓ ଷଡ଼ଯନ୍ତ୍ରରେ ଲିପ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ସି.ପି.ଆଇ.(ଏମ୍) ଦାବି କରୁଛି । ଆଜି ସି.ପି.ଆଇ.(ଏମ୍) ଓଡ଼ିଶା ରାଜ୍ୟ ସଂପାଦକମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇ ଉପରୋକ୍ତ ଦାବି ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ପାର୍ଟି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ମାଲକାନଗିରି ଜିଲ୍ଲା ଗ୍ରସ୍ତ କରିବା ସଂପର୍କରେ ମଧ୍ୟ ସୂଚନା ଦିଆଯାଇଛି ।










