ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ଖୋଳଖାଳି ଗ୍ରାମରେ ଜଣେ ନାବାଳିକା ଛାତ୍ରୀ ଆତ୍ମହତ୍ୟା କରିଥିବା ଜଣା ପଡିଛି । ମୃତ ଛାତ୍ରୀ ଜଣକ ହେଲେ ଖୋଳଖାଳି ଖଦାଳସାହିର ସୂର୍ଯ୍ୟ ନାୟକଙ୍କ ଝିଅ ପ୍ରଣତି ନାୟକ (୧୪ ) । ପ୍ରଣତିଙ୍କ ବାପା,ମାଆ ତାମିଲନାଡୁରେ ଦାଦନ ଖଟୁଥିବା ବେଳେ ପ୍ରଣତି ଘରେ ଏକାକୀ ରହୁଥିଲା ଏବଂ ଗ୍ରାମରେ ଥିବା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିଲା । ଗତକାଲିଠାରୁ ଘର କବାଟ ବନ୍ଦ ଥିବା ବେଳେ ଆଜି ଅପରାହ୍ନ ପର୍ଯ୍ୟନ୍ତ କବାଟ ଖୋଲା ହୋଇ ନଥିବା ଓ ଘର ଭିତରୁ ଦୁର୍ଗନ୍ଧ ବାହାରି ବାରୁ ସାହି ପଡିଶା ଲୋକେ ପୋଲିସକୁ ଖବର ଦେଇଥିଲେ । ତାଙ୍କ ଘର ଲୋକ କେହି ନଥିବାରୁ ଘଟଣା ସ୍ଥଳରେ ପୋଲିସ ଓ ମାଜିଷ୍ଟ୍ରେଟ ପହଞ୍ଚିଥିଲେ ମଧ୍ୟ ରିପୋର୍ଟ ମିଳିବା ଡେରି ହେବାରୁ ପୋଲିସ ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ସନ୍ଧ୍ୟାରେ କବାଟ ଭାଙ୍ଗି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ପଠାଇ ଥିବା ଜଣା ପଡିଛି ।
ଆତ୍ମହତ୍ୟାର କାରଣ ଜଣା ପଡିନି କ୍ଷ ସୂର୍ଯ୍ୟଙ୍କ ୫ ଝିଅଙ୍କ ମଧ୍ୟରେ ପ୍ରଣତି ଚତୁର୍ଥ ଝିଅ । ଦୁଇ ଝିଅ ବାହା ହୋଇ ସାରିଥିବା ବେଳେ ସ୍ତ୍ରୀ ନମିତା,ତୃତୀୟ ଓ ସାନ ଝିଅକୁ ନେଇ ସୂର୍ଯ୍ୟ ତାମିଲନାଡୁରେ ଦାଦନ ଖଟୁଛନ୍ତି କ୍ଷ ପୂର୍ବରୁ ଦୁଇ ଭଉଣୀ ଘରେ ରହୁଥିବା ବେଳେ ପ୍ରାୟ ଦଶ ଦିନ ତଳେ ଦ୍ୱିତୀୟ ଝିଅର ବାହାଘର ପାଇଁ ବାପାମାଆ ଗାଁକୁ ଆସିଥିଲେ ଏବଂ ଝିଅର ବାହାଘର ସାରି ୭ ଦିନ ତଳେ ସୂର୍ଯ୍ୟ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ତାମିଲନାଡୁ ପଳାଇଥିବା ବେଳେ ଚାଉଳ ନ ଆଣିଲେ ରାସନ କାର୍ଡ କଟିଯିବ ବୋଲି ପ୍ରଣତିକୁ ଗ୍ରାମରେ ଏକୁଟିଆ ଛାଡି ଚାଲି ଯାଇଥିଲେ ।