30.1 C
Bhubaneswar
Monday, February 16, 2026
Homeଓଡିଶାମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ

ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଗଜ ଉଦ୍ଧାରଣ ବେଶରେ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ଉପରେ ବସିବା ଭଙ୍ଗିରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଛନ୍ତି। ପ୍ରଭୁ ବଳଭଦ୍ର ବାସୁଦେବଙ୍କ ରୂପରେ ଓ ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ ଧରି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗର ବସନ୍ତ କୁମାର ରଣାଙ୍କ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ନିଳାଦ୍ରୀ ମ୍ୟୁଜିୟମରେ ଏହି ବେଶ ପ୍ରସ୍ତୁତ କରାଯାଇଥିବା ବେଳେ ମହାପ୍ରଭୁଙ୍କୁ ଏହି ଦୁର୍ଲଭ ବେଶରେ ଦର୍ଶନ କରି ଭକ୍ତ ଓ ସେବାୟତ ନିଜକୁ ଧନ୍ୟ ମନେ କରିଛନ୍ତି।

ଆଜି ପବିତ୍ର ମାଘ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହୋଇଥିଲା। ତେବେ ସନ୍ଧ୍ୟା ଧୂପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ। ପୌରାଣିକ କଥାବସ୍ତୁ ଅନୁଯାୟୀ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା। ଗଜରାଜ କ୍ଷତବିକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ। ଭକ୍ତର ଡାକ ଶୁଣି କୁମ୍ଭୀର କବଳରୁ ଗଜରାଜକୁ ଠାକୁର ଉଦ୍ଧାର କରିଥିଲେ। ସେହି ସ୍ମୃତିରେ ଶହ ଶହ ବର୍ଷ ଧରି ଠାକୁରଙ୍କ ଏହି ଗଜ ଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଆସୁଛି। ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ଗରୁଡ଼ ଉପରେ ବସିବା ଭଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିଥାନ୍ତି ମହାପ୍ରଭୁ। ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଡରେ ପଦ୍ମକଢି ଧରି ମଧ୍ୟ ଦଣ୍ଡାୟମାନ ରହିଥାନ୍ତି। ସେହିପରି ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ଓ ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ ଧରି ବିରାଜମାନ କରିଥାନ୍ତି।

ତେବେ ଶ୍ରୀଜୀଉଙ୍କ ଏହି ବେଶ ବଡ଼ ମନଲୋଭା ହୋଇଥିବା ବେଳେ ଭକ୍ତମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଛନ୍ତି। ଶ୍ରୀମନ୍ଦିର ପାରମ୍ପରିକ ବେଶ କାରିଗର ବସନ୍ତ କୁମାର ରଣାଙ୍କ କହିବାନୁଯାୟୀ ପାଞ୍ଚ ଜଣ କାରିଗରଙ୍କ ସମେତ ଦର୍ଜୀ ଓ ଚିତ୍ରକର ସେବକ ଠାକୁରଙ୍କ କାର୍ଯ୍ୟରେ ଲାଗିଥିଲେ। ସୋଲ, ଜରି, ଜମ୍ୱୁରା, କନା, କଇଁଥ ଅଠାରେ ମହାପ୍ରଭୁଙ୍କ ଏହି ବେଶ ପ୍ରସ୍ତୁତ କରାଯାଇଛି। ଚୂଳ, କିରୀଟ, କୁଣ୍ଡଳ, ସୂର୍ଯ୍ୟ, ଚନ୍ଦ୍ର, ହତା, ବାଜୁବନ୍ଧ, ହାତଫେର, ଆୟୁଧ, ଶଙ୍ଖ, ଚକ୍ର, ଗଦା, ପଦ୍ମ, ହଳ, ମୂଷଳ, ବାଙ୍କି, ପାହୁଡ଼, ଗୋଡଖଡ଼ୁ, ହାତମାଳ, ନାକଚଣା, ପଦ୍ମ କଢ଼ି ଆଦି ଅଳଙ୍କାର ଗଜ ଉଦ୍ଧାରଣ ବେଶରେ ଶ୍ରୀଜୀଉଙ୍କୁ ଲାଗି ହୋଇଛି। ସେପଟେ ଭକ୍ତମାନେ ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଏହି ଦୁର୍ଲଭ ଗଜ ଉଦ୍ଧାରଣ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇ ବେଶ୍ ଆନନ୍ଦିତ ହୋଇଛନ୍ତି। ଭିତରଛ, ତଳୁଛ, ପାଳିଆ ପୁଷ୍ପାଳକ, ଖୁଣ୍ଟିଆ ଓ ମେକାପ ଆଦି ସେବକଙ୍କ ସହଯୋଗ ରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସମ୍ପନ୍ନ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking