ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ କୁସୁପୁର ଅଞ୍ଚଳରେ ପାରିବାରିକ କଳହ ତଥା ଜମିଜମା ବିବାଦକୁ ନେଇ ଘଟିଥିବା ଗଣହତ୍ୟା ମାମଲାରେ ଆଜି କ୍ରାଇମ୍ ସିନ୍ ରି କ୍ରିଏସନ୍ କରିଛି ପୁଲିସ୍ । ଅଭିଯୁକ୍ତ ଶିବ ପ୍ରସାଦ ସାହୁକୁ ପୁଲିସ୍ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଛି । ସେ କଟୁରୀ ଯୋଗେ କେମିତି ମାରିଲା ତାହା ସେ କହିବା ସହ ସେଦିନର ବିଭତ୍ସ ଦୃଶ୍ୟ ସମ୍ପର୍କରେ ମଧ୍ୟ ମତ ଦେଇଛି । ତେବେ ହତ୍ୟାରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରାଯାଇଛି । ଦୁଇଦିନ ତଳେ ତାକୁ କୋର୍ଟଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଗତକାଲି ପୁଲିସ୍ ତାକୁ ରିମାଣ୍ଡରେ ଆଣିଥିଲା । ଆଜି ଶିବକୁ ଘଟଣାସ୍ଥଳକୁ ନେଇ କଡ଼ା ସୁରକ୍ଷା ମଧ୍ୟରେ କ୍ରାଇମ୍ସିନ୍ ରିକ୍ରିଏସନ୍ କରାଯାଇଥିଲା ।
ସୂଚନା ଯୋଗ୍ୟ ଅଭିଯୁକ୍ତ ଶିବ ପ୍ରସାଦ ସାହୁ ଜମି ବିବାଦକୁ ନେଇ ତା’ ଭାଇ ଅଲେଖ ସାହୁ ଏବଂ ତାଙ୍କ ପରିବାରଲୋକେ ତାଙ୍କୁ ଘରେ ପୂରାଇ ଦେଉନଥିବାରୁ ସେ ଅଲେଖଙ୍କ ପରିବାରର ୫ ଜଣଙ୍କୁ ହତ୍ୟା କରିଛି । ଗତ ୧୦/୧୨ ବର୍ଷ ହେଲା ଦେଡ଼ଶୁର ଅଲେଖ ଆମକୁ ନାନାଦି ହଇରାଣ କରି ଆସୁଥିଲେ । ଏଣୁ ଦୁଇଦିନ ତଳେ ସ୍ୱାମୀ ଶିବ ପ୍ରସାଦ ତାଙ୍କ ଘରେ ପହଞ୍ôଚ ବିବାଦ ଆରମ୍ଭ କରିଥିଲେ ଏବଂ ମୋତେ ଘରେ ବାହାରପଟୁ କବାଟ ଦେଇ ତାଙ୍କ ସହ ଯାଇ ବଚସା ଆରମ୍ଭ କରିଥିଲେ । ଅଲେଖଙ୍କ ପରିବାରକୁ ହତ୍ୟା କରିସାରିବା ପରେ ଆସି ତାଙ୍କ ନିଜ ଘର କବାଟ ଖୋଲିଥିଲେ ବୋଲି ଶିବ ପ୍ରସାଦଙ୍କ ପତ୍ନୀ ସୁନୀତା କହିଛନ୍ତି । ବଡ଼ ଭାଇ ଅଲେଖଙ୍କ ସମେତ ତାଙ୍କ ପତ୍ନୀ, ଝିଅ ଏବଂ ଦୁଇ ପୁତୁରାକୁ ଏକ କଟୁରୀରେ ହାଣି ବିଭତ୍ସ ଭାବେ ହତ୍ୟା କରିବା ପରେ ଶିବ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ନିଜକୁ ଆତ୍ମସମର୍ପଣ କରିଥିଲା । ତେବେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଶିବ ସାହୁ ଏକ ଭିଡିଓ ଜରିଆରେ ହତ୍ୟାକାଣ୍ଡକୁ ସ୍ୱୀକାର କରିବା ସହ ମୋ ଭାଇ ମତେ ଜମିଜମା ବିବାଦକୁ ନେଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା ଏବଂ ଏଥିରେ ମୁଁ ଉତ୍ତକ୍ଷୀପ୍ତ ହୋଇ ତା’ର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲି ବୋଲି ସ୍ପଷ୍ଟ କରିଛି ।