27.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶସନ୍ଦେଶଖାଲି ମାମଲା: ଲୋକସଭା ସ୍ୱାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ସନ୍ଦେଶଖାଲି ମାମଲା: ଲୋକସଭା ସ୍ୱାଧିକାର କମିଟି କାର୍ଯ୍ୟାନୁଷ୍ଠାନରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସନ୍ଦେଶଖାଲି ହିଂସା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଲୋକସଭା ସଚିବାଳୟ ସ୍ୱାଧିକାର କମିଟି ଜାରି କରିଥିବା ନୋଟିସରେ ସ୍ଥଗିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ କୋର୍ଟ । ଏହି ହିଂସାର ପ୍ରତିବାଦ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଜେପି ସାଂସଦ ତଥା ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାକୁ ପୋଲିସର ଅନଧିକୃତ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ସାଂସଦ ମଜୁମଦାର ଲୋକସଭା ସ୍ୱାଧିକାର କମିଟି ନିକଟରେ ଅଭିଯୋଗ କରିଥିଲେ ।

ଏହି ମାମଲାରେ ଲୋକସଭା ସ୍ୱାଧିକାର କମିଟି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଭଗବତୀ ପ୍ରସାଦ ଗୋପାଲିକା ଓ ପୋଲିସ ଡିଜି ରାଜୀବ କୁମାରଙ୍କୁ ଆଜି (ସୋମବାର) ପୂର୍ବାହ୍ନରେ କମିଟି ସମ୍ମୁଖରେ ହାଜର ହେବାକୁ ନୋଟିସ ଜାରି କରିଥିଲେ । ଏହାକୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ.ବି ପର୍ଦ୍ଦିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠରେ ହୋଇଥିଲା । ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଦୁଇ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଙ୍ଗଭି ପକ୍ଷ ରଖିଥିଲେ । କୋର୍ଟ ଲୋକସଭା ସ୍ୱାଧିକାର କମିଟିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇବା ସହ ନୋଟିସ ମଧ୍ୟ ଜାରି କରିଛନ୍ତି । ଆସନ୍ତା ୪ ସପ୍ତାହ ମଧ୍ୟରେ ଲୋକସଭା ସ୍ୱାଧିକାର କମିଟି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସତ୍ୟପାଠ ଦାଖଲ କରିବ ।

ସେହିପରି ଏହି ମାମଲାରେ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ କିମ୍ବା ଏସଆଇଟି କରି ତଦନ୍ତ ନିର୍ଦ୍ଦେଶ ଦେବାକୁ ହୋଇଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବପରି ପଶ୍ଚିମବଙ୍ଗ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିବ । ପଶ୍ଚିମବଙ୍ଗ ଉତ୍ତର ୨୪-ପ୍ରଗଣା ଜିଲ୍ଲାରେ ତୃଣମୂଳ କଂଗ୍ରେସର କିଛି ସ୍ଥାନୀୟ ନେତାଙ୍କ ଦ୍ୱାରା ମହିଳାମାନେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଥିଲା । ପୀଡିତାମାନେ ପ୍ରତିବାଦ କରିବା ପରେ ଏହାକୁ ନେଇ ଶାସକ ଦଳ ଟିଏମସିକୁ ବିରୋଧୀ ବିଜେପି ଘେରିଥିଲା । ବିଜେପି ସାଂସଦ ତଥା ଦଳର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାରଙ୍କ ନେତୃତ୍ୱରେ ବିଜେପି ଟିମ୍‌? ସନ୍ଦେସଖାଲି ଅଭିମୁଖେ ଯାତ୍ରା କରିବା ବେଳେ ବସିରହାଟରେ ପୋଲିସ ସେମାନଙ୍କୁ ବାଧା ଦେଇଥିଲା । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସାଂସଦ ସୁକାନ୍ତ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଲୋକସଭା ସ୍ୱାଧିକାର କମିଟିରେ ମଧ୍ୟ ପହଞ୍ଚିଥିଲା । ଜଣେ ସାଂସଦଙ୍କ ପ୍ରତି ପୋଲିସ ଅନଧିକୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗରେ ଲୋକସଭା ସ୍ୱାଧିକାର କମିଟି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା । ଏବେ ସର୍ବୋଚ୍ଚ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking