27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ମାକ୍ରୋନ୍‌ଙ୍କ ପରାମର୍ଶ

ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବାକୁ ମାକ୍ରୋନ୍‌ଙ୍କ ପରାମର୍ଶ

ପ୍ୟାରିସ୍‌: ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣର ପ୍ରଥମ ବାର୍ଷିକୀ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନ୍ ବ୍ରଡ୍‌କାଷ୍ଟର ଫ୍ରାନ୍ସ ଇଣ୍ଟରକୁ ଦେଇଥିବା ସାକ୍ଷାତକାରରେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଲାଗି ପାଶ୍ଚାତ୍ୟ ଦେଶଗୁଡ଼ିକୁ ପରାମର୍ଶ ଦେବାକୁ ନେଇ ଇସ୍ରାଏଲ୍ ତୀବ୍ର ପ୍ରତିକ୍ରିୟାଶୀଳ ହୋଇପଡିଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ସଙ୍କଟ ଉପରେ ମାକ୍ରୋନଙ୍କ ମନ୍ତବ୍ୟର ଜବାବ ଦେବାକୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଏକ ଭିଡିଓ ବିବୃତି ଜାରି କରିଛନ୍ତି । ଏଥିରେ ମାକ୍ରୋନଙ୍କ ମନ୍ତବ୍ୟକୁ ନେତାନ୍ୟାହୁ ତୀବ୍ର ସମାଲୋଚନା ପୂର୍ବକ କହିଛନ୍ତି ସଭ୍ୟତାର ଶତ୍ରୁ ବିରୁଦ୍ଧରେ ଇସ୍ରାଏଲ୍ ଏବେ ୭ଟି ମୋର୍ଚ୍ଚା (ଗାଜା, ଲେବାନନ୍‌, ୱେଷ୍ଟବ୍ୟାଙ୍କ, ୟେମେନ, ସିରିଆ, ଇରାକ ଏବଂ ଇରାନ) ବିରୋଧରେ ନିଜର ସୁରକ୍ଷା କରୁଛି । ଇରାନ ନେତୃତ୍ୱାଧୀନ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ୍ ଲଢୁଥିବାବେଳେ ସମସ୍ତ ସଭ୍ୟ ଦେଶ ନିଶ୍ଚିତ ଭାବରେ ଇସ୍ରାଏଲର ପ୍ରତିରକ୍ଷା ପାଇଁ ଛିଡା ହେବା ଉଚିତ୍ । କିନ୍ତୁ ଆତଙ୍କବାଦକୁ ବିରୋଧ କରୁଥିବା ଦେଶଙ୍କ ମଧ୍ୟରୁ କିଛି ଦେଶ ଏବେ ଇସ୍ରାଏଲ ଉପରେ ଅସ୍ତ୍ରଶସ୍ତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ । ତେବେ ସେମାନେ ଭଲଭାବେ ବୁଝିନିଅନ୍ତୁ ନିଜ ସାମର୍ଥ୍ୟ ବଳରେ ଇସ୍ରାଏଲ ନିଶ୍ଚିତ ବିଜୟୀ ହେବ । ଇସ୍ରାଏଲ୍‌କୁ ଏଭଳି ଦୋହରା ନୀତିଯୁକ୍ତ ରାଷ୍ଟ୍ରଙ୍କ ସମର୍ଥନର ଆବଶ୍ୟକତା ନାହିଁ ।

ଅନ୍ୟପକ୍ଷେ ୨ ରାଷ୍ଟ୍ର ମୁଖ୍ୟଙ୍କ ଏପ୍ରକାର ଆରୋପ ପ୍ରତ୍ୟାରୋପ ଯୋଗୁ ଫ୍ରାନ୍ସ ଏବଂ ଇସ୍ରାଏଲ ମଧ୍ୟରେ ଏବେ କୂଟନୈତିକ ବିବାଦ ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ଦମ୍‌ଦାର ତଥା ତୀବ୍ର ପ୍ରତିକ୍ରିୟା ପରେ ଫ୍ରାନ୍ସ ରାଷ୍ଟପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ମଧ୍ୟ ଜାରି କରାଯାଇଛି । ଏଥିରେ ରାଷ୍ଟ୍ରପତି ମାକ୍ରୋନ୍ ଇସ୍ରାଏଲର ସୁରକ୍ଷାକୁ ସମର୍ଥନ କରୁଥିବା ଉଲ୍ଲେଖ କରାଯାଇଛି । ଇସ୍ରାଏଲର ସୁରକ୍ଷା ପ୍ରତି ଫ୍ରାନ୍ସର ପ୍ରତିବଦ୍ଧତା ବିଷୟରେ ମାକ୍ରୋନ୍ ବ୍ୟକ୍ତିଗତ ଭାବରେ କହିଛନ୍ତି ବୋଲି କାର୍ଯ୍ୟାଳୟ ପକ୍ଷରୁ ବିବୃତିରେ କୁହାଯାଇଛି । ଇରାନ କିମ୍ବା ଏହାର କୌଣସି ସମର୍ଥକଙ୍କୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଫ୍ରାନ୍ସ କଦାପି ବରଦାସ୍ତ କରିବ ନାହିଁ । ଯଦି ଇସ୍ରାଏଲ୍ ପାଇଁ ବିପଦ ସୃଷ୍ଟି କରିବା ଭଳି କୌଣସି ବଳ ପ୍ରୟୋଗ କରାଯାଏ ତେବେ ଫ୍ରାନ୍ସ ସଦସର୍ବଦା ଇସ୍ରାଏଲ ସହ ରହିବ । ଫ୍ରାନ୍ସ ଇସ୍ରାଏଲର ଜଣେ ଭଲ ବନ୍ଧୁ, ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ବେଶ୍ ଭଲ ରହିଛି । ତେବେ ନେତାନ୍ୟାହୁଙ୍କ ମନ୍ତବ୍ୟ ଦୁଇ ଦେଶ ମଧ୍ୟରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁଛି ବୋଲି ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ପ୍ରକାଶ, ଇସ୍ରାଏଲ ଏବେ ଇରାନ୍‌, ଲେବାନନ୍‌, ପାଲେଷ୍ଟାଇନ୍ ବିପକ୍ଷରେ ବଡ଼ ଯୁଦ୍ଧ ଲଢ଼ୁଥିବା ବେଳେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ହଠାତ୍ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରାଯିବା ନେଇ ମନ୍ତବ୍ୟ ଦେଇଛନ୍ତି । ଦିନକ ପୂର୍ବେ ଅର୍ଥାତ୍ ଶନିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଥିଲେ ଯେ, ବର୍ତ୍ତମାନ ସମୟ ଆସିଯାଇଛି, ଯୁଦ୍ଧ କରୁଥିବା ଦଳ ମଧ୍ୟରେ ଏକ ରାଜନୈତିକ ସମାଧାନ ପାଇଁ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିବା ଆବଶ୍ୟକ । ସୁତରାଂ ଗାଜାରେ ଯୁଦ୍ଧ କରିବା ପାଇଁ ସମସ୍ତ ଦେଶ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ କରିଦେବା ଆବଶ୍ୟକ । ଇସ୍ରାଏଲ୍ ଏସବୁ ସାମରିକ ଉପକରଣକୁ ଇସ୍ରାଏଲ ପାଲେଷ୍ଟାଇନ୍‌ର ଗାଜା ଷ୍ଟ୍ରିପ୍ ଏବଂ ଲେବାନନ୍‌ର ବିରୁଟ୍ ପ୍ରାନ୍ତରେ ବ୍ୟବହାର କରୁଛି । ପ୍ରାୟ ଏକ ସପ୍ତାହ ପୂର୍ବରୁ ରେକର୍ଡ ହୋଇଥିବା ସାକ୍ଷାତକାରରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ କହିଥିଲେ, ଫ୍ରାନ୍ସ ଇସ୍ରାଏଲ୍‌କୁ ଅସ୍ତ୍ରଶସ୍ତ୍ର ବିତରଣ କରୁନାହିଁ । କିନ୍ତୁ କିଛି ଦେଶ ଅଛନ୍ତି (ଆମେରିକାର ନାମ ନନେଇ) ଇସ୍ରାଏଲ୍‌କୁ ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଣ କରୁଛନ୍ତି । ଗାଜା ସଙ୍କଟକୁ ନେଇ ନିଜର ଚିନ୍ତାଧାରାକୁ ଦୋହରାଇ ଏହି ଅଞ୍ଚଳରେ ତୁରନ୍ତ ଅସ୍ତ୍ରବିରତି କରାଯିବା ଉଚିତ୍ ବୋଲି ମାକ୍ରୋନ୍ କହିଥିଲେ । ତେବେ କେବଳ ଗାଜାଷ୍ଟ୍ରିପ୍ ନୁହେଁ ଲେବାନନ୍‌ରେ ମଧ୍ୟ ଉତ୍ତେଜନା ହ୍ରାସ କରିବା ଏକ ପ୍ରାଥମିକତା ହେବା ଉଚିତ୍ । ଲେବାନନ ନୂତନ ଗାଜା ହୋଇପାରିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking