ଭୁବନେଶ୍ୱର : ବର୍ଷାରେ ଭିଜିପାରେ ଦଶହରା । ଚଳିତ ମାସ ଚତୁର୍ଥ ସପ୍ତାହ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯଦି ଏହି ଲଘୁଚାପ ଓଡ଼ିଶା ଉପକୂଳ ମୁହାଁ ହୁଏ ତେବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ଆକଳନ କରାଯାଉଛି । ସମ୍ଭାବ୍ୟ ଲଘୁଚାପଟି ୨୪ କିମ୍ବା ୨୫ ତାରିଖ ବେଳକୁ ଉପକୂଳ ନିକଟତର ହେବ ବୋଲି ପୂର୍ବାନୁମାନ କରାଯାଉଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଲଘୁଚାପର ରୂପରେଖ ଓ ତୀବ୍ରତା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ବିହାର ଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପଲାଇନ୍ ରହିଛି । ପ୍ରଭାବରେ ଆସନ୍ତା ୧୮ ବେଳକୁ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୯ରେ ଉତ୍ତର ଓଡ଼ିଶା ସମେତ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡର କିଛି ଅଞ୍ଚଳରେ ବର୍ଷା ହେବ । ସେପଟେ ଶରତ ଆରମ୍ଭ ହୋଇଥିଲେ ରାଜ୍ୟରେ ଗରମ ଗୁଳୁଗୁଳି ଜାରି ରହିଛି । ଚଳିତ ବର୍ଷ ବିଳମ୍ବରେ ଶୀତ ଆସିବ । ଏଲ-ନିନୋ ପ୍ରଭାବ ଯୋଗୁ ଶୀତ ମଧ୍ୟ କମ ରହିବ । ଶୀତ ବିଳମ୍ବରେ ଆସି ଶୀଘ୍ର ପଳାଇବ ବୋଲି ଆକଳନ କରାଯାଇଛି ।