ଭୁବନେଶ୍ୱର : ୪ ବର୍ଷ ଲିଭ୍ଇନ୍ରେ ରହିବାପରେ ମହିଳାଙ୍କ ସୁନାଗହଣା ନେଇ ଚମ୍ପଟ ମାରିଲା ଧୋକାବାଜ୍ ପ୍ରେମିକ । ଖାଲି ସେତିକି ନୁହେଁ ବିବାହ କରିବାକୁ ହେଲେ ଗର୍ଭପାତ କରିବାକୁ ହେବ କହି ତାଙ୍କୁ ପ୍ରାତାରଣା କରିଛି ପ୍ରେମିକ ଜଣଙ୍କ । ଏଭଳି ପ୍ରତାରଣାର ଶିକାର ହେବା ପରେ ମହିଳା ଜଣକ ନୂଆପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁଯାୟୀ, ସାଲିଆସାହି ନୀଳଚକ୍ରନଗରର ବାସିନ୍ଦା ସ୍ୱର୍ଣ୍ଣଲତା ପ୍ରଧାନ(୨୯) । ୪ବର୍ଷ ତଳେ ପଡ଼ୋଶୀ ସୁଶାନ୍ତ ଦାସଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ସୁଶାନ୍ତ ସ୍ଥାନୀୟ ଅଞ୍ଚଳରେ ଗାଡ଼ି ଚଳାଉଥିବା ବେଳେ ନୀଳଚକ୍ରନଗରରେ ନିଜ ଭାଇଭାଉଜଙ୍କ ଘରେ ରହୁଥିଲା । ସେମାନଙ୍କ ଭିତରେ ସଂପର୍କ ନିବିଡ଼ ହେବାରୁ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ଉଭୟ ଏକ ଘର ଭଡ଼ାନେଇ ଲିଭ୍-ଇନ୍ ସଂପର୍କରେ ରହିଥିଲେ । ପ୍ରାୟ ୪ ବର୍ଷ କାଳ ସାଙ୍ଗରେ ରହିବା ଭିତରେ ସୁଶାନ୍ତଙ୍କ ଦ୍ୱାର ସ୍ୱର୍ଣ୍ଣଲତା ଅନ୍ତଃସତ୍ତ୍ୱା ହୋଇଥିଲେ । ମାତ୍ର ଏହା ଜାଣିବା ପରେ ସୁଶାନ୍ତ ତାଙ୍କୁ ଗର୍ଭପାତ କରାଇବାକୁ ବାରମ୍ବାର ଚାପ ଦେଇଥିଲା । ବାପା ଜଣେ ହୃଦ୍ରୋଗୀ ହୋଇଥିବାରୁ ଗର୍ଭପାତ ନ କରାଇଲେ ତାଙ୍କୁ ବିବାହ କରିବା ଅସମ୍ଭବ ଏବଂ ପରବର୍ତ୍ତୀ ସମୟରେ ଏହା ବିବାହରେ ସମସ୍ୟା ସୃଷ୍ଟି କରିବ ବୋଲି ସୁଶାନ୍ତ ସ୍ୱର୍ଣ୍ଣଲତାଙ୍କୁ ବୁଝାଇଥିଲା । ସୁଶାନ୍ତଙ୍କ କଥାକୁ ବିଶ୍ୱାସ କରି ସ୍ୱର୍ଣ୍ଣଲତା ଗର୍ଭପାତ କରାଇବା ପରେ ଗତ ୧୫ ଜୁଲାଇରେ ସୁଶାନ୍ତ ତାଙ୍କୁ ଛାଡ଼ି କେଉଁଆଡ଼େ ଫେରାର୍ ହୋଇଯାଇଥିଲା । ଏହା ସହିତ ଘରୁ ଯିବା ସମୟରେ ସ୍ୱର୍ଣ୍ଣଲତାଙ୍କ ସୁନାହାର, ମୁଦି, କାନଫୁଲ ଓ ଟଙ୍କା ମଧ୍ୟ ନେଇ ଯାଇଥିଲା । ଏ ନେଇ ସ୍ୱର୍ଣ୍ଣଲତା ବାରମ୍ବାର ସୁଶାନ୍ତଙ୍କୁ ଫୋନ୍ କରିବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତା’ର ଅନ୍ୟତ୍ର ବିବାହ ଠିକ ହୋଇଯାଇଛି ବୋଲି କହିଥିଲା । ଯଦି ସ୍ୱର୍ଣ୍ଣଲତା ଏ ସଂପର୍କରେ ଥାନାରେ ଅଭିଯୋଗ କରନ୍ତି, ତେବେ ତାଙ୍କ ନଗ୍ନ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିଦେବ ବୋଲି ଧମକ ମଧ୍ୟ ଦେଇଥିଲା ବୋଲି ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ ହେବାପରେ ଅଭିଯୁକ୍ତ ସୁଶାନ୍ତକୁ ଗିରଫ କରିବାକୁ ପୋଲିସ୍ ଉଦ୍ୟମ ଜାରି ରଖିଛି ।