ଭୁବନେଶ୍ୱର: ଏକ ଲଭ୍ ଜିହାଦ ମାମଲାରେ ଓଡ଼ିଶା ସମେତ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡିଗଡ଼ ଏବଂ ଜମ୍ମୁ କାଶ୍ମୀର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି ସୁପ୍ରିମ୍ କୋର୍ଟ । ମାମଲାର ଶୁଣାଣି କରି ବିଚାରପତି ୟୁୟୁ ଲଳିତ, ଅଜୟ ରସ୍ତୋଗୀ ଓ ଅନିରୁଦ୍ଧ ବୋଷଙ୍କ ମିଳିତ ଖଣ୍ଡପୀଠ ରାଜ୍ୟମାନଙ୍କୁ ଏହି ନୋଟିସ୍ ଜାରି କରିଛନ୍ତି । ଏଥିସହ ଜୁଲାଇ ୨୩ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଓଡ଼ିଶା ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ନୋଟିସ୍ ଆସିବାର ମୂଳ କାରଣ ହେଉଛି ଆବେଦନକାରୀ ଓଡ଼ିଶାର ବାସିନ୍ଦା । ବ୍ରହ୍ମପୁରର ଜୈନିକ ଫାର୍ମାସିଷ୍ଟ ଦମ୍ପତି ନିଜ ଝିଅକୁ ଲଭ୍ ଜିହାଦ କବଳରୁ ମୁକୁଳାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ବିଫାର୍ମା ପଢୁଥିବା ସମୟରେ ଜମ୍ମୁ କାଶ୍ମୀରର ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ଏବଂ ପରେ ବନ୍ଧୁତା ହୋଇଥିଲା । ପଢ଼ା ସରିବା ପରେ ଉଭୟ ଚାକିରି ପାଇଁ ଉତ୍ତର ପ୍ରଦେଶର ଲକ୍ଷø୍ନ ଯାଇଥିଲେ ।
ସେଠାରେ କିଛିଦିନ କାମ କରିବା ପରେ ସେମାନେ ପରବର୍ତ୍ତୀ ସମୟରେ ଚଣ୍ଡୀଗଡ଼ ଚାଲିଆସିଥିଲେ ଏବଂ ସେଠାରେ ବିବାହ ମଧ୍ୟ କରିଥିଲେ । ଅନ୍ୟ ଧର୍ମରେ ଝିଅ ବିବାହ କରିଥିଲେ ହେଁ ପରିବାର ଲୋକଙ୍କର ଏଥିରେ କୌଣସି ଆପତ୍ତି ନାହିଁ । ତେବେ ସଂପୃକ୍ତ ଯୁବକ ଜଣକ ଜୋର ଦବରଦସ୍ତ ଝିଅର ଧର୍ମ ପରିବର୍ତ୍ତନ କରି ବିବାହ କରିଥିବା ବେଳେ ଏବେ ସେମାନଙ୍କର କୌଣସି ଖୋଜ ଖବରନାହିଁ । ଝିଅ ସହ ଯୋଗାଯୋଗ ସ୍ଥାପନ ହୋଇନପାରିବାରୁ ଚିନ୍ତିତ ପରିବାର ଲୋକେ ବହୁ ଲୋକଙ୍କୁ ପଚରାଉଚରା କରିଥିଲେ ।
ଇତିମଧ୍ୟରେ ସେମାନେ ସଂପୃକ୍ତ ଯୁବକଙ୍କ ଅପରାଧିକ ପୃଷ୍ଠଭୂମି ଏବଂ ଦେଶବିରୋଧୀ କାର୍ଯ୍ୟକଳାପ ସଂପର୍କରେ କିଛି ଜାଣିବାକୁ ପାଇଥିଲେ । ଆଉ ଜାଣିବାକୁ ବାକି ନଥିଲା ଯେ ଝିଅକୁ ଲଭ୍ ଜିହାଦରେ ଫସାଯାଇଛି । ଏଣୁ ଝିଅର ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସେମାନେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ରାଜ୍ୟ ସରକାରମାନେ କୋର୍ଟଙ୍କ ନୋଟିସ୍ର ଜବାବ ଦେବାପରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ସହ ପ୍ରକୃତ ସତ୍ୟ ଜଣାପଡ଼ିବ ବୋଲି ପରିବାରବର୍ଗଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି ।