ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ପୂର୍ବରୁ ମୃତ୍ୟୁ ସଂଖ୍ୟା ୧୦ ରିପୋର୍ଟ କରାଯାଇଥିଲା । ଗତକାଲି ସନ୍ଧ୍ୟାରେ ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ଏକ ଚଳନ୍ତା କାରରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି କରାଯାଇଛି । ଏହା ସହ ଓଡିଶା ସମେତ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ମୁମ୍ବାଇରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ଘଟଣାସ୍ଥଳରେ ତଦନ୍ତ ଜାରି ରହିଛି । ଏହି ସମୟରେ ସୁରକ୍ଷା ଦୃଷ୍ଟିରୁ ଏଏସଆଇ ଆଜି ଲାଲକିଲ୍ଲାକୁ ଆଗାମୀ ତିନି ଦିନ ପାଇଁ ବନ୍ଦ କରିଦେଇଛି । ସୁଚନାରୁ ପ୍ରକାଶ, ଏନଆଇଏ ଦିଲ୍ଲୀ ବିସ୍ଫୋରଣର ଆନୁଷ୍ଠାନିକ ତଦନ୍ତ କରିପାରେ । ବର୍ତ୍ତମାନ, ସ୍ପେଶାଲ ସେଲ୍ ଏବଂ ସ୍ଥାନୀୟ ପୋଲିସ ବିସ୍ଫୋରଣର ତଦନ୍ତ କରୁଛନ୍ତି । ଏବେ ଦିଲ୍ଲୀ ବିସ୍ଫୋରଣ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଲିଙ୍କ ଥିବାରୁ ଏନଆଇଏକୁ ତଦନ୍ତ ଦାୟିତ୍ୱ ଦିଆଯାଇପାରେ । ସୂଚନାଥାଉକି, ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ୍ ନମ୍ବର ୧ ନିକଟରେ ଏକ କାରରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିବା ବେଳେ ଆହତଙ୍କ ସଂଖ୍ୟା ୩୦ ଛୁଇଁଛି। ଆହତଙ୍କ ମଧ୍ୟରେ ବି ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣାସ୍ଥଳରେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚଟିମ୍ ର ତନାଘନା ଜାରି ରହିଛି। ଏହି ଭୟଙ୍କର ବିସ୍ଫୋରଣ ପରେ ଦିଲ୍ଲୀ ସମେତ ମୁମ୍ବାଇରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶ୍ୱ ପ୍ରସିଦ୍ଧ ତୀର୍ଥସ୍ଥଳ ତଥା ପର୍ଯ୍ୟଟନ ସହର ପୁରୀରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଥିବା ପୁରୀ ଏସପି ସୂଚନା ଦେଇଛନ୍ତି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟଣାର ସମ୍ପୂର୍ଣ୍ଣ ସ୍ଥିତି ପରଖିବା ପାଇଁ ଘଟଣାସ୍ଥଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଞ୍ଚିଛନ୍ତି। ତେବେ ତା ପୂର୍ବରୁ ଶାହ କହିଥିଲେ ଯେ, “ଆଜି ସନ୍ଧ୍ୟା ପ୍ରାୟ ୭ଟାରେ, ଦିଲ୍ଲୀର ଲାଲକିଲ୍ଲା ନିକଟରେ ସୁଭାଷ ମାର୍ଗ ଟ୍ରାଫିକ ସିଗନାଲରେ ଏକ ହୁନ୍ଦାଇ ସ୨୦ କାରରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣରେ କିଛି ପଦଯାତ୍ରୀ ଆହତ ହୋଇଥିଲେ ଏବଂ କିଛି ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ କିଛି ଲୋକ ପ୍ରାଣ ହରାଇଛନ୍ତି। ବିସ୍ଫୋରଣର ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ, ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଏବଂ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚର ଦଳ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି।
ୟୁକ୍ରେନ ଉପରେ ରୁଷ୍ର ବଡ଼ ଆକ୍ରମଣ, ୩୩ ମୃତ
ୟୁକ୍ରେନ୍ ଉପରେ ରୁଷ୍ ବର୍ଷର ସବୁଠାରୁ ବଡ ଆକ୍ରମଣ କରିଛି। ରୁଷ୍ର ଏହି ଭୟଙ୍କର ଆକ୍ରମଣରେ ପ୍ରାୟ ୩୩ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଶିଶୁ ଏବଂ କିଛି ମହିଳା ମଧ୍ୟ ସାମିଲ ଅଛନ୍ତି। ସେହିପରି ଶହେରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ଏବଂ ଅନେକ କୋଠା, ସଡକ ଓ ଅନ୍ୟ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଥିବା ୟୁକ୍ରେନ୍ ପକ୍ଷରୁ ସୂଚନା ଦିଆଯାଇଛି। ବିସ୍ଫୋରଣରେ ଭୁଶୁଡି ପଡ଼ିଥିବା ବଡବଡ଼ ଅଟ୍ଟାଳିକାର ଭଗ୍ନାବଶେଷ ତଳେ ଅନେକ ଲୋକ ଦବି ରହିଥିବା ସନ୍ଦେହ କରାଯାଉଥିବା ବେଳେ ଉଦ୍ଧାର ତଥା ସର୍ଚ୍ଚ ଅପେରସନ୍କୁ ଜୋରଦାର କରାଯାଇଛି। ୟୁକ୍ରେନ୍ ପକ୍ଷରୁ ଦିଆଯାଇଥିବା ସୂଚନ।।ନୁସାରେ ରୁଷ୍ ସେନା ପକ୍ଷରୁ ପ୍ରାୟ ୧୦୦୦ ଡ୍ରୋନ, ୧୦୦୦ ଗ୍ଲାଇଡ୍ ବୋମା ଏବଂ ବିଭିନ୍ନ ପ୍ରକାରର ୬୦ଟି କ୍ଷେପଣାସ୍ତ୍ର ସହାୟତାରେ ୟୁକ୍ରେନର ଟେର୍ନୋପିଲ, ଡୋନେସ୍କ୍, ଡିନିପ୍ରୋ, ନିକୋପୋଲ୍ ଭଳି ସହର ଉପରେ ଆକ୍ରମଣ କରାଯାଇଥିଲା। ଅନ୍ୟପକ୍ଷେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍ସ୍କି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ଫଟୋ ଓ ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ଅପ୍ଲୋଡ କରିଛନ୍ତି। ଜେଲେନ୍ସ୍କି ଏହି ଅବସରରେ ଅନ୍ତର୍ଜାତୀୟ ବାୟୁ-ପ୍ରତିରକ୍ଷା ପ୍ରତିବଦ୍ଧତାକୁ ଦ୍ରୁତ ଭାବରେ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି କାରଣ ୟୁକ୍ରେନ ଆମେରିକା ଏବଂ ୟୁରୋପୀୟ ଅଂଶୀଦାରମାନଙ୍କ ସହିତ ମିଳିତ ଭାବରେ ଋଷର ଆକ୍ରମଣ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ କାମ କରୁଛି। ରୁଷ୍ ସେନା ୟୁକ୍ରେନ୍ର ଜନବସତି ଓ ସାଧାରଣ ଲୋକଙ୍କୁ ନିଶାଣ କରିଥିବାରୁ ଜେଲେନ୍ସ୍କି ଏହାର ତୀବ୍ର ନିନ୍ଦା କରିଛନ୍ତି।
ଆମେରିକାର ଶୁଳ୍କକୁ କଡ଼ା ଜବାବ: ଭାରତକୁ ତୈଳ ଉପରେ ବିପୁଳ ରିହାତି ଦେଲା ରୁଷ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ଶୁଳ୍କ ଲଗାଇବା ସହ ରୁଷରୁ ତେଲ କିଣିବା ଏବଂ ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧରେ ଅଂଶଗ୍ରହଣ କରିବାର ଅଭିଯୋଗ ଆଣିଛନ୍ତି। ଭାରତ ଟ୍ରମ୍ପଙ୍କ ଶୁଳ୍କ ଧମକର ଉଚିତ ଜବାବ ଦେଇଛି ଏବଂ ତାଙ୍କ ଧମକକୁ ଅଣଦେଖା କରି ଭାରତ ରୁଷରୁ ତେଲ କିଣିବା ଜାରି ରଖିଛି। ଏବେ ଟ୍ରମ୍ପଙ୍କ ପାଇଁ ଏପରି ଖବର ଆସିଛି ଯେ ତାଙ୍କର କ୍ରୋଧ ସପ୍ତମ ଆକାଶକୁ ପହଞ୍ଚିପାରେ କାରଣ ଭାରତୀୟ ରିଫାଇନାରୀ ପାଇଁ ରୁଷର ଅଶୋଧିତ ତେଲ ଏବେ ଶସ୍ତା ହୋଇଯାଇଛି। ରିପୋର୍ଟ ଅନୁସାରେ, ରୁଷ ଭାରତକୁ ଯୋଗାଣ ହେଉଥିବା ତେଲ ଉପରେ ରିହାତିକୁ ଆହୁରି ବୃଦ୍ଧି କରିଛି ଏବଂ ବର୍ତ୍ତମାନ ଏହି ରିହାତିକୁ ପ୍ରତି ବ୍ୟାରେଲ ପିଛା ୩-୪ ଡଲାରକୁ ବୃଦ୍ଧି କରାଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଗତ ସପ୍ତାହରେ ଭାରତକୁ ଦିଆଯାଉଥିବା ରିହାତି ୨.୫୦ ଡଲାର ଥିଲା, ଯେତେବେଳେ ଜୁଲାଇରେ ଏହା ପ୍ରତି ବ୍ୟାରେଲ ପିଛା ଏକ ଡଲାର ଥିଲା।
ଏବେ ଭାରତକୁ ରୁଷ ତେଲ ଶସ୍ତା ମିଳିବ ଏବଂ ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଭାରତକୁ ପଠାଯାଉଥିବା ତେଲ ଉପରେ ଏହି ନୂତନ ହାର ଲାଗୁ ହେବ। ଟ୍ରମ୍ପ ପ୍ରଶାସନ ଗତ ସପ୍ତାହରେ ଭାରତ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୫୦ ପ୍ରତିଶତକୁ ବୃଦ୍ଧି କରିଛି ଯାହାଦ୍ୱାରା ଭାରତ ରୁଷୀୟ ତେଲ କିଣିବା ଏବଂ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଯୋଗାଇବା ପାଇଁ ଦଣ୍ଡିତ ହେବ। ରୁଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ, ଭାରତ ୨୦୨୨ ମସିହାରେ ରୁଷୀୟ ଅଶୋଧିତ ତୈଳର ଏକ ପ୍ରମୁଖ ଆମଦାନୀକାରୀ ହୋଇଗଲା। ବର୍ତ୍ତମାନ, ବାରମ୍ବାର ଆମେରିକାର ଶୁଳ୍କ ଧମକ ପରେ, ଭାରତ ସମ୍ପର୍କର ଏକ ନିର୍ବିଘ୍ନ ପ୍ରଦର୍ଶନରେ ନିଜକୁ ରୁଷ ଏବଂ ଚୀନ୍ ସହିତ ଆହୁରି ନିକଟତର କରିଛି। ଚୀନ୍ରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ରୁଷ ଏବଂ ଭାରତ ମଧ୍ୟରେ ଏକ “ବିଶେଷ” ସମ୍ପର୍କ ରହିଛି।
ସେହିପରି, ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ମଧ୍ୟ ଭେଟିଥିଲେ ଏବଂ ଦୁଇ ଦେଶ ପ୍ରତିଦ୍ୱନ୍ଦ୍ୱୀ ନୁହେଁ ବରଂ ଅଂଶୀଦାର ହେବାକୁ ସଂକଳ୍ପ ନେଇଥିଲେ। ହ୍ୱାଇଟ୍ ହାଉସ୍ ପରାମର୍ଶଦାତା ପିଟର୍ ନାଭାରୋ ଭାରତକୁ ତୀବ୍ର ସମାଲୋଚନା କରି କହିଥିଲେ, “ପୁଟିନ୍ ୟୁକ୍ରେନ ଆକ୍ରମଣ କରିବା ପୂର୍ବରୁ, ଭାରତ ବହୁତ କମ୍ ପରିମାଣରେ ରୁଷୀୟ ତେଲ କିଣୁଥିଲା। ଏବେ କ’ଣ ହେଲା? ଏବେ, ରୁଷୀୟ ତୈଳ ବିଶୋଧନକାରୀମାନେ ରିହାତି ଦିଅନ୍ତି, ଭାରତ ଏହାକୁ ବିଶୋଧନ କରେ, ଏବଂ ତା’ପରେ ୟୁରୋପ, ଆଫ୍ରିକା ଏବଂ ଏସିଆକୁ ପ୍ରିମିୟମ୍ ହାରରେ ବିକ୍ରୟ କରେ। ଏହା ରୁଷୀୟ ଯୁଦ୍ଧ ଯନ୍ତ୍ରକୁ ଇନ୍ଧନ ପ୍ରଦାନ କରେ।”










