ନୂଆଦିଲ୍ଲୀ: ଲୋକସଭାରେ ନିର୍ବାଚନ ଆଇନ ସଂଶୋଧନ ବିଲ ୨୦୨୧ ପାସ ହୋଇଛି । ଆଧାରକାର୍ଡ ସହ ଭୋଟର ପରିଚୟ ପତ୍ର ଲିଙ୍କ କରାଯିବ । ଭୋଟର ପଂଜିକରଣ ପାଇଁ ଏଣିକି ଆବଶ୍ୟକ ପଡିବ ଆଧାର ନମ୍ବର । ଭୋଟର ହେବା ପାଇଁ ନାଁ ଯୋଡିବାକୁ ଚାହିଁଲେ ଆଧାର ନମ୍ବର ଜରୁରୀ । ଭୋଟର ହେବାକୁ ପରିଚୟ ସାବ୍ୟସ୍ତ ପାଇଁ ଦରକାର ପଡିବ ଆଧାର ନମ୍ବର । ସଂଶୋଧନ ବିଲ ସଂପର୍କରେ ଆଇନ ମନ୍ତ୍ରୀ କିରଣ ରିଜିଜୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଭୋଟର ପରିଚୟପତ୍ର-ଆଧାର ଲିଙ୍କ ବାଧ୍ୟତାମୂଳକ ନଥିଲା । ନୂଆ ଆଇନ ଦ୍ୱାରା ଲିଙ୍କ ପରେ ନକଲି ଭୋଟରଙ୍କୁ ବାଦ୍ ଦିଆ ଯାଇପାରିବ । ଆଧାର କାର୍ଡ ସହ ଭୋଟର ଆଇଡି କାର୍ଡ ଲିଙ୍କ ହେବାଫଳରେ ଜାଲ ମତଦାତାଙ୍କ ଉପରେ ଲଗାମ୍ ଲାଗିପାରିବ । ଗୃହରେ ବିଲ ଆଗତ ବେଳେ ବିଭିନ୍ନ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ । ତୃଣମୂଳ କଂଗ୍ରେସ, କଂଗ୍ରେସ, ବହୁଜନ ସମାଜବାଦୀ ପାର୍ଟି ଏବଂ ଓଓ୍ବେସୀଙ୍କ AIMIM ଦଳ ତୀବ୍ର ବିରୋଧ କରିଥିଲେ । ଏହି ବିଲକୁ ଷ୍ଟାଣ୍ଡିଂ କମିଟି ନିକଟରେ ଦାଖଲ କରାଯିବା ଆବଶ୍ୟକ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ।