ଅନୁଗୁଳ: ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟରେ ବୁଧବାର ଜଣେ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଯେ, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଓଗୀ ଗାଁର ପଞ୍ଚାନନ ପ୍ରଧାନ ପଡ଼ୋଶୀ ରାଜନ ପ୍ରଧାନଠାରୁ ୨୦୧୬ରେ ୮୦ ଟଙ୍କା ଧାର ନେଇଥିଲେ । ଗତ ୨୦୧୬ ନଭେମ୍ବର ୧୫ ତାରିଖରେ ଛାଡ଼ଖାଇ ଭୋଜିଭାତ ପାଇଁ ରାଜନ ପଞ୍ଚାନନଙ୍କୁ ଧାର୍ ମାଗିଥିଲେ । ଫଳରେ ପଞ୍ଚାନନ ରାଗିଯାଇଥିଲେ । ଏ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିଗୋଳ ହୋଇଥିଲା । ରାଜନଙ୍କ ଘର ସମ୍ମୁଖରେ ସନ୍ଧ୍ୟା ୭ଟା ବେଳକୁ ପଞ୍ଚାନନ ରାଜନଙ୍କୁ ତୀର ମାରିଥିଲେ । ଗୁରୁତର ହୋଇ ରାଜନ ପାଟି କରିଥିଲେ । ପାଟି ଶୁଣି ଘର ଲୋକ ବାହାରକୁ ଆସିବାରୁ ପଞ୍ଚାନନ ଫେରାର୍ ହୋଇଯାଇଥିଲେ । ତେବେ ଘଟଣାସ୍ଥଳରେ ହିଁ ରାଜନଙ୍କ ମୃତ୍ୟୁ ହୋଇଥିଲା ।
ଏ ନେଇ ରାଜନଙ୍କ ମା’ ରାଧା ପ୍ରଧାନ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତକରି ଅଭିଯୁକ୍ତ ପଞ୍ଚାନନ ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରଞ୍ଜିତା ଜ୍ୟୋତିଷି ୧୩ ଜଣ ସାକ୍ଷ୍ୟଙ୍କ ବୟାନ ଓ ସମସ୍ତ ଦଲିଲକୁ ଆଧାରକରି ଅଭିଯୁକ୍ତ ପଞ୍ଚାନନ ପ୍ରଧାନଙ୍କୁ ଆଜୀବନ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜୋରିମାନା ରାୟ ଶୁଣାଇଛନ୍ତି । ଜୋରିମାନା ଅନାଦେୟ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ତାପସ ରଞ୍ଜନ ମିଶ୍ର ଓ ବିଶ୍ୱଜିତ ବରାଳ ପରିଚାଳନା କରୁଥିଲେ ।