28.1 C
Bhubaneswar
Tuesday, July 2, 2024
Homeଓଡିଶାପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ପତ୍ନୀହନ୍ତା ସ୍ୱାମୀଙ୍କୁ ଆଜୀବନ ଜେଲ୍‌ଦଣ୍ଡ

ଭଦ୍ରକ : ହତ୍ୟା ଅପରାଧରେ ବନ୍ତ ଥାନା ତରାଗ ଗ୍ରାମର ଶିଶିର ବେହେରାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଭଦ୍ରକ ଅତିରିକ୍ତ ଜିଲ୍ଲା ଜଜ୍ ଆଶିଷ କୁମାର ତ୍ରିପାଠୀ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ୍‌ଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ପୁନଶ୍ଚ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ବିବରଣୀ ଅନୁଯାୟୀ ବନ୍ତ ଥାନା ତରାଗ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ଉକ୍ତ ଗ୍ରାମର ରବିନ୍ଦ୍ର ବାରିକଙ୍କ କନ୍ୟା ମିନାକ୍ଷୀକୁ ଗତ ୨୦୧୨ ମସିହା ମଇ ମାସ ୩୦ ତାରିଖରେ ବିବାହ କରିଥିଲେ । ବିବାହ ସମୟରେ ସମସ୍ତ ଦାବି ଯୌତୁକ ଦିଆଯାଇଥିଲେ ମଧ୍ୟ ବିବାହ ପରେ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ଏକ ବାଇକ୍ କିଣିବା ପାଇଁ ୫୦ ହଜାର ଟଙ୍କା ବାପ ଘରୁ ଆଣିବାକୁ କହିଥିଲେ । ମିନାକ୍ଷୀ ସେଥିରେ ରାଜି ନହେବାରୁ ତାକୁ ଶଶୁର, ଶାଶୁ ଗୀତାଞ୍ଜଳି ସମେତ ତାର ଅଜା ଜୟକୃଷ୍ଣ ପ୍ରଧାନ ମଧ୍ୟ ଅକଥନୀୟ ନିର୍ଯାତନା ଦେଉଥିଲେ । ୨୦୧୬ ମାର୍ଚ୍ଚ ୯ ତାରିଖରେ ମିନାକ୍ଷୀକୁ ନିଆଁ ଲଗାଇ ପୋଡି ଦେଇଥିବାର ଖବରପାଇ ତା ବାପଘର ଲୋକ ସେଠାକୁ ଯାଇ ଦେଖିଲେ ସେ ନିଆଁରେ ଜଳୁଛି । ସେଠାରୁ ତାକୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାକୁ ତୁରନ୍ତ କଟକ ସ୍ଥାନାନ୍ତର କରାଯାଇ ସେଠାରେ ଚିକିତ୍ସିତ ହେଉଥିବା ବେଳେ ମିନାକ୍ଷୀଙ୍କ ପିତା ରବିନ୍ଦ୍ର ଥାନାରେ ଲିଖିତ ଏତେଲା ଦେଇଥିଲେ । ତାକୁ ଭିତ୍ତି କରି ବନ୍ତ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ମିନାକ୍ଷୀର ମୃତ୍ୟୁ କାଳିନ ଜମାନବନ୍ଦି ରେକର୍ଡିଂ କରାଯାଇଥିଲା । ଯେଉଁଥିରେ ତାକୁ ସ୍ୱାମୀ କିରୋସିନ ଢାଳି ନିଆଁ ଲଗାଇ ଦେଇଥିବା କଥା କହିଥିଲା । ଏହି ମାମଲାରେ ପୁଲିସ ସ୍ୱାମୀ ପୂର୍ଣ୍ଣଚନ୍ଦ୍ରକୁ ଗିରଫ କରିଥିଲା ଓ ଚାର୍ଜସିଟରେ ୩୦୨ ଦଫାରେ ଦେଇ ପୂର୍ଣ୍ଣଚନ୍ଦ୍ର ଓ ତାଙ୍କ ପିତା ଓ ମାତା, ଅଜାଙ୍କୁ ମଧ୍ୟ ଅପରାଧି ଭାବରେ ସାମିଲ କରିଥିଲା । ମାମଲାଟି ଏସ୍‌ଟି ନଂ-୨୦/୨୪୦/୧୬ରେ ବିଚାର ଚାଲୁଥିଲା । ବିଚାର ସମୟରେ ଅଭିଯୋଗକାରୀ ପୂର୍ଣ୍ଣ ଚନ୍ଦ୍ରଙ୍କ ବିରୋଧରେ କିଛି ଅଭିଯୋଗ କରି ନଥିଲେ ମଧ୍ୟ ମିନାକ୍ଷୀର ମୃତ୍ୟୁକାଳୀନ ଜମାନବନ୍ଦୀକୁ ବିଶ୍ୱାସକୁ ନେଇ ପୂର୍ଣ୍ଣଚନ୍ଦ୍ରକୁ ବିଚାରପତି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି । ତାର ବାପା ମାଆକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking