ଭୁବନେଶ୍ୱର: କମିଶନରେଟ ପୁଲିସକୁ ଖାତିର କରୁନାହାନ୍ତି ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧାରୀ । କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ ବନ୍ଧୁକ ସ୍ଥାନୀୟ ଥାନାରେ ଜାମା କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଥିଲେ । ହେଲେ ଏବେ କୋଡ୍ ଅଫ୍ କଣ୍ଡକ୍ଟ ଲାଗିବା ସହ ବନ୍ଧୁକ ଜମା କରିବାର ଶେଷ ତାରିଖ ମଧ୍ୟ ବିତି ଯାଇଛି । ହେଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସମସ୍ତ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଥାନାରେ ଜମା ହୋଇନାହିଁ । ଭୁବନେଶ୍ୱର ଡିସିପିଙ୍କ ତଥ୍ୟ ଅନୁସାରେ ମୋଟ ୧୪୩୭ ଜଣ ଭୁବନେଶ୍ୱରରେ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବ୍ୟବହାର କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ୫୨୨ ଜଣ ବନ୍ଧୁକ ଡିପୋଜିଟ୍ ହୋଇଛି । ଗତ ୨୪ ଘଣ୍ଟାରେ ୧୧୧ଟି ବନ୍ଧୁକ ଡିପୋଜିଟ ହୋଇଛି । ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ତୁରନ୍ତ ଦାଖଲ କରିବାକୁ ତାଗିଦ କରିଛନ୍ତି ଡିସିପି ପ୍ରତୀକ ସିଂ । ପିସ୍ତଲ, ରିଭଲଭର, ୧୨ ରାଉଣ୍ଡ ବୋର ଗନ୍ ଦାଖଲ ନେଇ ନିର୍ଦ୍ଦେଶ ରହିଛି । ମଡେଲ କୋଡ୍ ଅଫ୍ କଣ୍ଡକ୍ଟ ମୁତାବକ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ତଥା ବନ୍ଧୁକର ଅପବ୍ୟବହାର ରୋକିବା ପାଇଁ ବ୍ୟକ୍ତି ବିଶେଷ ତଥା ରାଇଫଲ ଆସୋସିଏସନକୁ ପୂର୍ବରୁ ଅବଗତ କରାଯାଇଥିଲା । ସ୍କ୍ରିନିଂ କମିଟି ବସିବା ପରେ ଅନ୍ୟ ବନ୍ଧୁକ ଗୁଡିକ ଖୁବଶୀଘ୍ର ଡିପୋଜିଟ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ।