ନୂଆଦିଲ୍ଲୀ: ସାଧାରଣତଃ ଗାଁଟିଏ କିପରି ହୋଇଥିବ, ତାହାକୁ ସଂଯୋଗ କରୁଥିବା ରାସ୍ତାରୁ ବୁଝା ପଡ଼ିଥାଏ। ବେଳେ ବେଳେ କୌଣସି ଏକ ଗାଁକୁ ପକ୍କା ରାସ୍ତା ନଥିବାରୁ ଅଧାରୁ ଆମ୍ବୁଲାନ୍ସ ଫେରିଆସିବା ପରି ଖବର ସଂପୃକ୍ତ ଗାଁଟି ଅପନ୍ତରା ଇଲାକାରେ ଥିବା କଥାକୁ ସ୍ପଷ୍ଟ କରିଥାଏ। ସୁତରାଂ ଗାଁଟିଏ ରହିଛି ମାନେ ସେଠିକି କଚ୍ଚା ହେଉ ବା ପକ୍କା ହେଉ, ସବୁଦିନିଆ ହେଉ ବା ଋତୁକାଳୀନ ହେଉ, ରାସ୍ତାଟିଏ ନିଶ୍ଚିତ ରହିଥିବ।
କାରଣ ଯାତାୟାତ ପାଇଁ ସେଠିକି ରାସ୍ତାଟିଏ ନଥିଲେ ସେଠାରେ ଜନବସତି ଗଢ଼ି ଉଠନ୍ତା ବା କିପରି? ତେବେ ନେଦରଲାଣ୍ଡସର ଓଭରିସେଲ ପ୍ରଦେଶ ଅନ୍ତର୍ଗତ ଜିଥୁମ୍ ହେଉଛି ଏପରି ଏକ ଗାଁ, ଯେଉଁଠିକି ରାସ୍ତାଟିଏ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ‘ଉତ୍ତରର ଭେନିସ’ ଭାବେ ପରିଚିତ ତଥା ରାଜଧାନୀ ଆମଷ୍ଟରଡାମ୍ ଠାରୁ ଦେଢ଼ ଘଣ୍ଟାର ବାଟ ଦୂରରେ ଅବସ୍ଥିତ ଏହି ଗାଁଟି ପର୍ଯ୍ୟଟକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଗ୍ରାମବାସୀମାନେ ନିଜସ୍ବ କ୍ଷୁଦ୍ର ଦ୍ବୀପ ଉପରେ ଜୀବିକା ନିର୍ବାହ କରୁଥିବା ବେଳେ ଗାଁକୁ ରାସ୍ତାର ଅଭାବ କେବେ ତାହାର ଲୋକପ୍ରିୟତାକୁ ମଳିନ କରିପାରିନାହିଁ। କାରଣ ତିନି ହଜାରରୁ କମ୍ ଜନସଂଖ୍ୟା ବିଶିଷ୍ଟ ଏହି ଗାଁଟି ଜଳଧାର କଡ଼େ କଡ଼େ ଗଢ଼ି ଉଠିଛି ଯେଉଁଠିକି ଡଙ୍ଗା ହେଉଛି ଯାତାୟାତର ପ୍ରମୁଖ ମାଧ୍ୟମ। ସୁଦୃଶ୍ୟ ଭୂମିରୂପ, ଟାପୁ, ହ୍ରଦ ଓ କାଠପୋଲ ସମ୍ବଳିତ ଜିଥୁମ୍ର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ହିଁ ତାହାକୁ ଚର୍ଚ୍ଚିତ କରିଛି।
ମୁଖ୍ୟ ଗ୍ରାମ ସହ ବିଭିନ୍ନ ଘରୋଇ କ୍ଷୁଦ୍ର ଦ୍ବୀପ ସମୂହକୁ ସଂଯୋଗ କରୁଥିବା ୫୫ ମାଇଲ୍ ଦୀର୍ଘ କେନାଲ ପଥରେ ଆଗନ୍ତୁକମାନେ, ବିଭିନ୍ନ ଜଳଯାନ ମାଧ୍ୟମରେ ହେଉ ବା କାଠ ପୋଲ ଉପରେ ଚାଲିଚାଲି ହେଉ, ବିଚରଣ କରିବାର ନିଆରା ମଜା ନିଅନ୍ତି। ଅଷ୍ଟାଦଶ ଶତାବ୍ଦୀରେ ସ୍ଥାପିତ ଏହି ଗାଁରେ କେନାଲ ଉପର ବାସଗୃହ ସାଙ୍ଗକୁ ଚର୍ଚ୍ଚ, ଐତିହାସିକ କୋଠା, ରାଜବାଟୀ, ସଂଗ୍ରହାଳୟ, ଭୋଜନାଳୟ, କୃଷିକ୍ଷେତ୍ର ଓ ଜାତୀୟ ଉଦ୍ୟାନ ଆଦି ଅନେକ ଆକର୍ଷଣୀୟ ସ୍ଥାନ ନିର୍ମିତ ହୋଇଛି। ବିଶେଷ କରି ନିଶବ୍ଦ ସମୟ ଓ ମନଲୋଭା ଶୋଭା ଉପଭୋଗ କରିବାକୁ ମନ ବଳାଉଥିବା ପର୍ଯ୍ୟକମାନଙ୍କ ପାଇଁ ଏବେ ଜିଥୁମ୍ ଅନ୍ୟତମ ପସନ୍ଦର ସ୍ଥାନ ପାଲଟିଛି।