ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ତରଫରୁ ଗୁରୁୁବାର ‘ସୁସ୍ୱାଗତମ୍’ ପୋର୍ଟାଲର ଶୁଭାରମ୍ଭ କରାଯାଇଛି । ଅନଲାଇନ ଜରିଆରେ ଏହି ପୋର୍ଟାଲରେ ନାମ ପଞ୍ଜୀକୃତ କରି ଆଗ୍ରହୀ ବ୍ୟକ୍ତିବିଶେଷ ସୁପ୍ରିମକୋର୍ଟରେ ପ୍ରବେଶ ନିମନ୍ତେ ଇ-ପାସ୍ ପାଇପାରିବେ ବୋଲି କୁହାଯାଇଛି । ଆଇନଜୀବୀଙ୍କଠାରୁ ଆରମ୍ଭ କରି ମୁଦେଇ, ମୁଦାଲା, ସାକ୍ଷୀ ଓ ଅନ୍ୟ ବ୍ୟକ୍ତି ସହଜରେ ସୁପ୍ରିମକୋର୍ଟ ପରିସରରେ ପ୍ରବେଶ ଅନୁମତି ପାଇପାରିବେ ।
ଗୁରୁବାର ଧାରା-୩୭୦ ଉପରେ ଶୁଣାଣି ଚାଲିଥିବାବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡ ଏହି ପୋର୍ଟାଲ ସମ୍ପର୍କରେ ଘୋଷଣା କରିଥିବା ପ୍ରକାଶ । ପରୀକ୍ଷାମୂଳକଭାବେ ଅଗଷ୍ଟ ୯ରୁ ଏହି ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଥିବାବେଳେ ୧୦ ହଜାର ବ୍ୟକ୍ତିଙ୍କୁ ଇ-ପାସ୍ ଯୋଗାଇ ଦିଆଯାଇଥିବା ଜଷ୍ଟିସ ଚନ୍ଦ୍ରଚୂଡ ସୂଚନା ଦେଇଛନ୍ତି । ପୂର୍ବରୁ ସୁପ୍ରିମ୍କୋର୍ଟରେ ପ୍ରବେଶ ଅନୁମତି ପାଇବାକୁ ଲୋକଙ୍କୁ ସକାଳୁ ଲମ୍ବା ଲାଇନ୍ରେ ଘଣ୍ଟା ଘଣ୍ଟା ଧରି ଛିଡାହେବାକୁ ପଡୁଥିଲା ।