ଭୁବନେଶ୍ୱର: ଉଚ୍ଚଶିକ୍ଷିତ ହେବା ପରେ ଚାକିରି ନିଶା ଛାଡ଼ । ଉଦ୍ୟୋଗୀ ହୋଇ ରୋଜଗାର କର, ଅନ୍ୟକୁ ରୋଜଗାର ଦିଅ । ନୂଆ ଆଇଡିଆ ବା ନବସୃଜନ ସହ ଆରମ୍ଭକର ନିଜ ଷ୍ଟାର୍ଟ୍ଅପ୍ । ନବସୃଜନର ଏହି ନବୀନ ମନ୍ତ୍ର ନେଇ ଓଡ଼ିଆ ପିଲାଙ୍କୁ ଉଦ୍ୟୋଗୀ ହେବାର ପୁଣି ଏକ ସୁଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ନବୀନ ନିବାସରେ ଶ୍ରୀ ପଟ୍ଟନାୟକ ଷ୍ଟାର୍ଟ୍ଅପ୍ ଯାତ୍ରା ଆପ୍ ଓ ଦୁଇଟି ପୋର୍ଟାଲ୍ ଉନ୍ମୋଚନ କରିବା ସହ ୪ଟି ଷ୍ଟାର୍ଟଅପ୍ ଏକ୍ସପ୍ରେସ୍କୁ ଫ୍ଲାଗ୍ ଅଫ୍ କରିଛନ୍ତି ।
ତୃଣମୂଳ ସ୍ତରରେ ୨୦୨୫ ପର୍ଯ୍ୟନ୍ତ ୫ ହଜାର ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ୨ଶହ କଲେଜ୍ ଓ ଉଚ୍ଚତର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ଅପ୍ ଯାତ୍ରା ଓ ଅଷ୍ଟମରୁ ଦଶମ ପାଠ ପଢୁଥିବା ୬୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଷ୍ଟାର୍ଟ୍ ଅଫ୍ ଏକ୍ସପ୍ରେସ୍ ଭ୍ୟାନ୍ କ୍ୟାମ୍ପ୍ ସାରା ଓଡ଼ିଶା ବୁଲିବ । ଏଥିରେ ପ୍ରାୟ ୨୫ ହଜାର ଛାତ୍ରଛାତ୍ରୀ ଭାଗନେବେ ବୋଲି ଲକ୍ଷ୍ୟରଖିଛି ଏମ୍ଏସ୍ଏମ୍ଇ ବିଭାଗ । ଓଡ଼ିଆ ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରେ ଉଦ୍ଭାବନ ଓ ଔଦ୍ୟୋଗିକତା କ୍ଷେତ୍ରରେ ମାର୍ଗଦର୍ଶନ ତଥା ସଶକ୍ତ କରିବା ପାଇଁ ଏହି ଅଭିଯାନ ସେମାନଙ୍କୁ ଷ୍ଟାର୍ଟ-ଅପ୍ ଇକୋ ସିଷ୍ଟମ ମଧ୍ୟରେ ସୁଯୋଗ ପ୍ରଦାନ କରିବ । ଭ୍ୟାନ୍ କ୍ୟାମ୍ପ ଦ୍ୱାରା ସଂଗୃହୀତ ନୂଆ ଆଇଡିଆକୁ ସିଲେକସନ୍ କମିଟି ଅନୁଶୀଳନ କରି ସର୍ଟଲିଷ୍ଟ୍ କରିବ ।
୬୦ଟି ବୁଟ୍ କ୍ୟାମ୍ପ୍ ଜରିଆରେ ଚୟନ ହେବେ ଉଦ୍ୟୋଗୀ । ୨୦ଟି ସର୍ବଶ୍ରେଷ୍ଠ ନୂଆଚିନ୍ତନକୁ ଭୁବନେଶ୍ୱର ଓ-ହବରେ ଇନକ୍ୟୁବେସନ୍ ପାଇଁ ଅଣାଯିବ । କଲେଜ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ୧୦ଟି ଅଭିନବ ସ୍ୱତନ୍ତ୍ର ଷ୍ଟାର୍ଟ୍ ଅପ୍ ଆଇଡିଆକୁ ୩ ଲକ୍ଷ ଲେଖାଏଁ ନଗଦ ପୁରସ୍କାର ଦିଆଯିବ । ସେହିପରି ଷ୍ଟାର୍ଟ୍ ଅପ୍ ଏକ୍ସପ୍ରେସ ଜରିଆରେ ସ୍କୁଲ ପିଲାଙ୍କ ଦ୍ୱାରା ପ୍ରଦତ୍ତ ୧୦ଟି ସର୍ବଶ୍ରେଷ୍ଠ ଉପଯୋଗୀ ଆଇଡିଆକୁ ୧୦ ହଜାର ଲେଖାଏଁ ନଗଦ ପୁରସ୍କାର ପ୍ରଦାନ କରାଯିବ । ଷ୍ଟାର୍ଟ୍ଅପ୍ ଓଡ଼ିଶା ଗଠନର ମାତ୍ର ଅଢ଼େଇ ବର୍ଷ ଭିତରେ ଓଡ଼ିଆ ପିଲାଙ୍କ ଭିତରେ ଉଦ୍ୟୋଗୀ ହେବାର ନବଜାଗରଣ ସୃଷ୍ଟିହୋଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଏହା ଆହୁରି ଉତ୍ସାହିତ କରିବ ବୋଲି ଆଶା ରଖିଛନ୍ତି ଓ-ହବ୍ କର୍ତ୍ତୃପକ୍ଷ । କାର୍ଯ୍ୟକ୍ରମରେ ଏମ୍ଏସ୍ଏମ୍ଇ ବିଭାଗ ମନ୍ତ୍ରୀ ପ୍ରତାପକେଶରୀ ଦେବ, ୫-ଟି ସଚିବ ଭି.କେ ପାଣ୍ଡିଆନ୍, ବିଭାଗୀୟ ସଚିବ ଶାଶ୍ୱତ ମିଶ୍ର ଏବଂ ନିର୍ଦ୍ଦେଶକ ଡକ୍ଟର ଓମ୍କାର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।