17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶପଞ୍ଚଭୂତରେ ଲୀନ ହେଲେ ସ୍ୱର ସାମ୍ରାଜ୍ଞୀ, ସଂଗୀତର ସରସ୍ୱତୀଙ୍କୁ ଦେଶ ଦେଲା ଅଶ୍ରୁଳ ବିଦାୟ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସାମ୍ରାଜ୍ଞୀ, ସଂଗୀତର ସରସ୍ୱତୀଙ୍କୁ ଦେଶ ଦେଲା ଅଶ୍ରୁଳ ବିଦାୟ

ମୁମ୍ବାଇ: ପଞ୍ଚଭୂତରେ ଲୀନ ହେଲା ଭାରତ ରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ପାର୍ôଥବ ଶରୀର । ଶରୀରର ଅନ୍ତଃ ହୋଇଛି ସତ, କିନ୍ତୁ ପ୍ରତିଟି ଭାରତୀୟଙ୍କ ହୃଦୟରେ ଜୀବନ୍ତ ରହିବେ ଲତା । ଯେତେକାଳ ତାଙ୍କ ବୀଣାଜିଣା କଣ୍ଠ ନିସୃତ ସୁମଧୁର ଗୀତ ଶୁଭୁଥିବ ସେ ପର୍ଯ୍ୟନ୍ତ ତାଙ୍କ ସତ୍ତାକୁ ଅନୁଭବ କରି ହେଉଥିବ । ନିଜର ପ୍ରିୟ ଘର ‘ପ୍ରଭୁକୁଞ୍ଜ’ରୁ ଶିବାଜୀ ପାର୍କ ପର୍ଯ୍ୟନ୍ତ ଲତାଙ୍କ ଯାତ୍ରା ଥିଲା ଆବେଗପୂର୍ଣ୍ଣ । ମୁମ୍ବାଇର ରାଜରାସ୍ତା ସତେ ଯେମିତି ଝୁରିଝୁରି ନିଜର ପ୍ରିୟ ମଣିଷଟିକୁ ଲୁହ ଝରାଉଥିଲା । ତାଙ୍କ ପାର୍ôଥବ ଶରୀରକୁ ଶିବାଜୀ ପାର୍କରେ ଯେତେବେଳେ ଶେଷ ଶ୍ରଦ୍ଧାଞ୍ଜଳି ଲାଗି ଶାୟିତ ଅବସ୍ଥାରେ ରଖି ଦିଆଗଲା, ମନେ ହେଉଥିଲା ମାଟିର ମହାକନ୍ୟା ମାଟିରେ ହିଁ ଲୀନ ହେବାକୁ ଯାଉଛନ୍ତି । ସରସ୍ୱତୀ ପୂଜାର ପରଦିନ ବିଦାୟ ନେଲେ ସଂଗୀତର ସରସ୍ୱତୀ । ଆଜି ସକାଳେ ତାଙ୍କର ଦେହାନ୍ତ ହେବା ପରେ ସନ୍ଧ୍ୟାରେ ଶିବାଜୀ ପାର୍କ ଗ୍ରାଉଣ୍ଡରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଭାରତୀୟ ସେନାର ତିନି ବାହିନୀ ପକ୍ଷରୁ ତୋପ ସଲାମୀ ପରେ ୨ ମିନିଟର ନୀରବତା ଅବଲମ୍ବନ କରାଯାଇଥିଲା । ଏହାପରେ ଲତାଙ୍କ ପାର୍ôଥବ ଶରୀର ଉପରେ ଢ଼ଙ୍କା ଯାଇଥିବା ଜାତୀୟ ପତାକାକୁ କଢ଼ା ଯିବା ପରେ ତାହାକୁ ସେନାବାହିନୀ ପକ୍ଷରୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ତାଙ୍କ ପୁତୁରା ଅଜିତ ମଙ୍ଗେସକର ମୁଖାଗ୍ନି ଦେଇଥିଲେ । ନିଜ ପରିବାରବର୍ଗ ଓ ପ୍ରଶଂସକଙ୍କୁ ଛାଡ଼ି ଅନ୍ତିମ ବିଦାୟ ନେଇ ସବୁଦିନ ପରପାରିକୁ ଚାଲିଯାଇଛନ୍ତି ସମସ୍ତଙ୍କର ପ୍ରିୟ ଲତା ଦିଦି । ଛଳଛଳ ଆଖିରେ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି ହଜାର ହଜାର ଶୋକାଭିଭୂତ ମଣିଷ । ଶେଷକୃତ୍ୟସ୍ଥଳରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ନେତା ଶରଦ ପୱାର, କ୍ରିକେଟ କିମ୍ବଦନ୍ତି ସଚ୍ଚିନ୍ ତେନ୍ଦୁଲକର ଓ ତାଙ୍କ ପତ୍ନୀ, ବଲିଉଡ ଅଭିନେତା ଶାହରୁଖ ଖାନ, ଅଭିନେତ୍ରୀ ଶ୍ରଦ୍ଧା କପୁର, ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ଗ୍ୱାରିକର, ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତାର । ଶେଷକୃତ୍ୟ ସମୟରେ ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ଲୋକଙ୍କ ଆଖିରେ ଥିଲା ଲୁହ । ତାଙ୍କୁ ହରାଇବା ପରେ ଦୁଃଖ ସମସ୍ତଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଥିଲା । ତେବେ ଚଳିତ ବର୍ଷ ଜାନୁଆରି ମାସ ପ୍ରାରମ୍ଭରେ କୋଭିଡ୍ ପଜିଟିଭ୍ ଜଣାପଡ଼ିବା ପରେ ଲତା ମଙ୍ଗେସ୍‌କରଙ୍କୁ ମୁମ୍ବାଇସ୍ଥିତ ‘ବ୍ରିଚ୍ କାଣ୍ଡି ହସ୍ପିଟାଲ୍‌’ରେ ଭର୍ତ୍ତି କରାଯାଇଥିଲା । ସେ କୋଭିଡ୍‌-୧୯ ଓ ନିମୋନିଆରେ ସଂକ୍ରମିତ ହୋଇଥିଲେ । ଚିକିତ୍ସାର କିଛି ଦିନ ପରେ ସେ ସୁସ୍ଥ ହୋଇଥିଲେ ବି ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହେବାରୁ ତାଙ୍କୁ ଗତକାଲି ଭେଣ୍ଟିଲେଟରରେ ରଖାଯାଇଥିଲା । ହେଲେ ଆଜି ସକାଳେ ସେ ମୃତ୍ୟୁ ସହ ଲଢ଼ି ହାରିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking