ବ୍ରାହ୍ମଣୀଗାଁ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ହତିମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ତାମାଙ୍ଗି କୁମ୍ଭୀର ପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ଯୋଗୁଁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡ଼ିଛି । ଖବର ପାଇ ଦାରିଙ୍ଗବାଡ଼ି ଅତିରିକ୍ତ ତହସିଲଦାର ଭାବେଷ ମାଝୀ, ବ୍ରାହ୍ମଣୀଗାଁ ରାଜସ୍ୱ ନିରୀକ୍ଷକ ରଞ୍ଜିତ କୁମାର କହଁରଙ୍କ ସମେତ ତହସିଲ କାର୍ଯ୍ୟାଳୟର କିଛି କର୍ମଚାରୀ ଘଟଣା ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଚଳିତ ଲଗାଣ ବର୍ଷାରେ ଗାଁ ମୁଣ୍ଡରେ ଋଷିମାଳ ପାହାଡ଼କୁ ଲାଗି ରହିଥିବା ପାହାଡ଼ରେ ଭୁସ୍ଖଳନ ହୋଇଛି । ଗତ ବର୍ଷ ମଧ୍ୟ ସେହି ସମାନ ଜାଗାରେ ଭୁସ୍ଖଳନ ହୋଇଥିଲା । ପ୍ରଶାସନ ପକ୍ଷରୁ ଆଜିଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ନେଇ ଗ୍ରାମବାସୀ କହିଛନ୍ତି । ଏହି ବର୍ଷ ଅଧିକ ମାତ୍ରାରେ ଭୁସ୍ଖଳନ ହୋଇଛି । ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡିଛନ୍ତି ।
ପାହାଡ଼ ମୁଣ୍ଡରୁ ପ୍ରାୟ ଏକ କିମି ପାହାଡ଼ ଧସି ଯାଇ ଥିବାବେଳେ ଅଧ କିମି ରାସ୍ତା ବିଚ୍ଛିନ୍ନ ହୋଇଛି ଯାହା ଫଳରେ ସେହି ରାସ୍ତା ଦେଇ କାଟିଙ୍ଗିଆ, ପଣସ ପଦର, ଗଞ୍ଜାମ ଜିଲ୍ଲାର ସଲିମା ଗୋଛାକୁ ଯାତାୟାତ ବନ୍ଦ ରହିଛି । ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ବିଚ୍ଛେଦ ହୋଇଛି । ସ୍ଥାନେ ସ୍ଥାନେ ପାହାଡ଼ରେ ଗର୍ତ୍ତ ସୃଷ୍ଟି ହୋଇଛି । ତୁହାକୁ ତୁହା ବର୍ଷା ଲାଗି ରହୁଥିବାରୁ ବିପଦ ଆଶଙ୍କା ବଢ଼ିବାରେ ଲାଗିଛି । କେବଳ ପାହାଡ଼ରେ ଭୁସ୍ଖଳନ ସୀମିତ ରହିନାହିଁ । ମେରାମା ଛକ ଠାରୁ ତାମାଙ୍ଗି ଯିବା ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଭୁସ୍ଖଳନ ହୋଇଥିବା ହେତୁ ଫୁଲବାଣୀରୁ ହତିମୁଣ୍ଡାକୁ ଯାତାୟାତ କରୁଥିବା ସରକାରୀ ବସ ଚଳାଚଳ ଗତ କିଛିଦିନ ହେଲା ବନ୍ଦ ରହିଥିବା ଜଣାପଡ଼ିଛି । ଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମର ଆଲୋକ ବଳିଆର ସିଂ, ମୁନା ନାୟକ, ଉପେନ୍ଦ୍ର ବଳିଆର ସିଂ, ବାବୁଲା ବଳିଆର ସିଂ ସମେତ ସମସ୍ତ ଗ୍ରାମବାସୀ ନିବେଦନ କରିଛନ୍ତି ।