ସିଙ୍ଗାପୁର: ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ୍ ହସ୍ପିଟାଲରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ଶରୀରରେ ସଫଳତାର ସହ କିଡ୍ନୀ ପ୍ରତିରୋପଣ କରାଯାଇଥିବା ଜଣାପଡିଛି । ଲାଲୁଙ୍କ ପୁତ୍ର ତଥା ବିହାର ଉପମୁକ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଲାଲୁଙ୍କ ପାଇଁ ତାଙ୍କ କନ୍ୟା ରୋହିଣୀ ଆଚାର୍ଯ୍ୟ କିଡ୍ନୀ ଦାନ କରିଛନ୍ତି । ଅପରେସନ ଥିଏଟର (ଓଟି)କୁ ଯିବାପୂର୍ବରୁ ରୋହିଣୀ ପିତାଙ୍କ ସହ ଉଠାଇଥିବା ଫଟୋକୁ ନିଜର ଟ୍ୱିୀଟର ଆକାଉଣ୍ଟରେ ଅପ୍ଲୋଡ କରିଥିଲେ । ବାପାଙ୍କୁ ଏକ ଛୋଟ ମାଂସଖଣ୍ଡ ଦେଉଛି ଏବଂ ଆପଣମାନେ ବାପାଙ୍କ ଆଶୁ ଆରୋଗ୍ୟ ପାଇଁ ଆଶୀର୍ବାଦ କରନ୍ତୁ ବୋଲି ରୋହିଣୀ ଉକ୍ତ ବାର୍ତ୍ତାରେ ଉଲ୍ଲେଖ ମଧ୍ୟ କରିଥିଲେ । ଅସ୍ତ୍ରୋପଚାର ପରେ ଉଭୟ ବାପା-ଝିଅ ସୁସ୍ଥ ଥିବା ପରିବାର ପକ୍ଷରୁ କୁହାଯାଇଛି । ଲାଲୁଙ୍କ ଜ୍ୟେଷ୍ଠା କନ୍ୟା ତଥା ରାଜ୍ୟସଭା ସାଂସଦ ମିସା ଭାରତୀ ଏବଂ ଭାଇ ତେଜସ୍ୱୀ ବର୍ତ୍ତମାନ ସିଙ୍ଗାପୁର ହସ୍ପିଟାଲରେ ଅବସ୍ଥାନ କରୁଛନ୍ତି । ଅସ୍ତ୍ରୋପଚାର ପରେ ଲାଲୁଙ୍କୁ ଓଟିରୁ ଆଇସିୟୁକୁ ନିଆଯାଉଥିବା ଭିଡିଓକୁ ତେଜସ୍ୱୀ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସୂଚନାଯୋଗ୍ୟ ଗୋଖାଦ୍ୟ ଦୁର୍ନୀତିରେ ଦୋଷୀସାବ୍ୟସ୍ତ ହୋଇ ଲାଲୁ ଜେଲଦଣ୍ଡ ଭୋଗୁଛନ୍ତି । ତେବେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି ।