ନୂଆଦିଲ୍ଲୀ: ଯଦି ଆଗାମୀ ଦୁଇଦିନ ମଧ୍ୟରେ ତାପଜ ବିଦ୍ୟୁତ କେନ୍ଦ୍ରକୁ ଆବଶ୍ୟକ କୋଇଲା ଯୋଗାଣ ସମ୍ଭବ ନହୁଏ, ତେବେ ରାଜଧାନୀ ଦିଲ୍ଲୀ ସମେତ ଆଖାପାଖ ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାକାରାଚ୍ଛନ୍ନ ହୋଇପଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଦେଶର ୧୩୫ଟି ତାପଜ ବିଦ୍ୟୁତ କେନ୍ଦ୍ରରୁ ୭୦ ପ୍ରତିଶତ ବିଜୁଳି ଉତ୍ପାଦିତ ହୋଇଥାଏ । ଏଥିମଧ୍ୟରୁ ପ୍ରାୟ ୭୦ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ କୋଇଲାର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ଫଳରେ ଆଉ ଦୁଇଦିନ ମଧ୍ୟରେ ଏହି କେନ୍ଦ୍ରଗୁଡିକରୁ ବିଦ୍ୟୁତ ଯୋଗାଣ ବନ୍ଦ ହୋଇଯିବ ବୋଲି ଆଶଙ୍କା ଉପୁଜିଛି । ବର୍ତ୍ତମାନ କୋଇଲା ଖଣିରୁ ଆବଶ୍ୟକ ପରିମାଣର କୋଇଲା ଉତ୍ତୋଳନ ହେଉନଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ଏଥିଯୋଗୁଁ କେତେକ ରାଜ୍ୟ ବର୍ତ୍ତମାନଠାରୁ ପାୱାର କଟ୍ ବ୍ୟବସ୍ଥା ଲାଗୁ କରିଥିବା ଜଣାପଡିଛି ।
ଦିଲ୍ଲୀ ଓ ଏନ୍ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଓନ୍)କୁ ବିଜୁଳି ଯୋଗାଉଥିବା ପାୱାର ପ୍ଲାଣ୍ଟଗୁଡିକ ଅତିକମରେ ଏକମାସ ପାଇଁ କୋଇଲା ଗଚ୍ଛିତ କରି ରଖିଥାନ୍ତି । ବର୍ତ୍ତମାନ ଏହି ପ୍ଲାଣ୍ଟଗୁଡିକରେ ମାତ୍ର ଗୋଟିଏ ଦିନର କୋଇଲା ମହଜୁଦ ରହିଥିବାରୁ ସମଗ୍ର ଦିଲ୍ଲୀ ଅନ୍ଧାକାରାଛନ୍ନ ହୋଇପଡିବ ବୋଲି ଦିଲ୍ଲୀର ଶକ୍ତିମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ତୁରନ୍ତ ରେଳବାଇ ୱାଗନ ଯୋଗାଡ କରି ତୁରନ୍ତ ଏହି ପ୍ଲାଣ୍ଟଗୁଡିକୁ କୋଇଲା ଯୋଗାଇବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ଜୈନ କହିଛନ୍ତି । କୋଇଲାର ଏହି ଅଭାବ ମାନବକୃତ ବୋଲି ଦିଲ୍ଲୀରେ କ୍ଷମତାସୀନ ଆମ୍ ଆଦ୍ମୀ ପାର୍ଟି (ଆପ୍) ପକ୍ଷରୁ ଅଭିଯୋଗ କରାଯାଇଛି । କୋଭିଡ୍ ସମୟରେ ଯେପରି ଦିଲ୍ଲୀକୁ ଅକ୍ସିଜେନ ମିଳୁନଥିଲା, ଠିକ୍ ସେହିପରି ଦିଲ୍ଲୀକୁ ବିଦ୍ୟୁତ ଯୋଗାଉଥିବା ପ୍ଲାଣ୍ଟଗୁଡିକୁ କୋଇଲାରୁ ବଞ୍ଚିତ କରାଯାଉଥିବା ସେ କହିଛନ୍ତି ।
ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି । ଦିଲ୍ଲୀ ଉପକଣ୍ଠସ୍ଥ ବାୱାନାଠାରେ ୧୩୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ଏକ ତାପଜ ପାୱାର ପ୍ଳାଣ୍ଟ ରହିଛି । ତେବେ ଏହି କେନ୍ଦ୍ରକୁ କୋଇଲା ଯୋଗାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କର ହୋଇଥିବାରୁ ଦିଲ୍ଲୀ ସରକାରଙ୍କ ନିକଟରେ କୌଣସି ବିକଳ୍ପ ନଥିବା କୁହାଯାଇଛି । ଚଳିତମାସ ପ୍ରଥମ ସପ୍ତାହରେ ଦିଲ୍ଲୀରେ ୧୧.୨ ପ୍ରତିଶତ କମ ବିଦ୍ୟୁତ ଯୋଗାଣ ହୋଇଥିବା ଜଣାପଡିଛି । ଏହି ସଙ୍କଟର ତୁରନ୍ତ ସମାଧାନ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ସୂଚନାଯୋଗ୍ୟ ଚୀନ୍ ପରେ ଭାରତ ହେଉଛି ତାପଜ ବିଦ୍ୟୁତ ଶକ୍ତି ବ୍ୟବହାରକାରୀ ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର । ଚୀନ୍ରେ କୋଇଲା ଅଭାବ ଯୋଗୁଁ ଅଧିକାଂଶ କଳକାରଖାନାକୁ ବନ୍ଦ କରାଯାଇଥିବାବେଳେ ଭାରତରେ ମଧ୍ୟ ଅନୁରୂପ ସଙ୍କଟ ଦେଖାଦେଇଛି ।