ଝାରସୁଗୁଡା : ଛତିଶଗଡରୁ ଶହଶହ ଶ୍ରମିକ ଆଜି ଟ୍ରକରେ ବୋଝେଇ ହୋଇ ଝାରସୁଗୁଡା ଦେଇ ଝାରଖଣ୍ଡ ଫେରୁଥିବା ଦେଖିବାକୁ ମିଳିଛି । ଲକଡାଉନ ଅବଧି ବାରମ୍ବାର ବୃଦ୍ଧି ହୋଇଥିବାରୁ ଏମାନେ କାମ ହରାଇବାସହ ପାଖରେ ସଂଚୟ ଥିବା ଟଙ୍କା ମଧ୍ୟ ଖର୍ଚ୍ଚ କରି ସାରିିଛନ୍ତି । ଏହି ପରିସ୍ଥିତିରେ ସେମାନେ ଚାଲିଚାଲି ଅଥବା ଟ୍ରକ ଉପରେ ବସି ଘରକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି । ଆଗାମୀ ଦିନରେ କାମ ଓ ଖାଇବା ନ ମିଳିବା ଭୟରେ ଏହି ଘରମୁହାଁ ଶ୍ରମିକମାନେ ବସ, ଟ୍ରେନ ଆଦି ଚଳାଚଳକୁ ଅପେକ୍ଷା କରି ପାରୁନାହାନ୍ତି । ଅନ୍ୟପଟେ ଏହି ଶ୍ରମିକମାନେ ରେଳ ଧାରଣାରେ ଅଥବା ରାସ୍ତାରେ ଚଲାବୁଲା ନ କରିବେ ସେଥିପ୍ରତି ଧ୍ୟାନଦେବା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଶ୍ରମିକ ରାସ୍ତାରେ ଚାଲିଚାଲି ଯାଉଥିବା ଅବା ରେଳ ଧାରଣାରେ ଚାଲିଚାଲି ଯାଉଥିବା ନଜରକୁ ଆସନ୍ତି ତେବେ ତୁରନ୍ତ ସେମାନଙ୍କୁ ଖାଇବା ପିଇବା ଯୋଗାଇବା ସହ ଘରକୁ ଫେରିବା ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବା ପାଇଁ କୁହାଯାଇଛି ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଦେଇ ଯଦି କୌଣସି ପ୍ରବାସୀ ଶ୍ରମିକ ଚାଲିଚାଲି ଘରକୁ ଫେରୁଛନ୍ତି ତେବେ ତାଙ୍କର ଖାଇବା ତଥା ଘରକୁ ପହଂଚିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ।