ଶ୍ରୀନଗର: ସ୍ୱାଧୀନତା ପୂର୍ବରୁ ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲାରେ ସ୍ଥାପନ କରାଯାଇଥିବା ଡାକଘରକୁ ଦେଶର ପ୍ରଥମ (ଏକ ନମ୍ବର) ଡାକଘର ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ପାକିସ୍ତାନ ସଂଲଗ୍ନ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ କିଶନଗଙ୍ଗା ନଦୀକୂଳରେ ଥିବା ଏହି ଡାକଘରର ପିନ୍ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ହେଉଛି ୧୯୩୨୨୪ । ଏହି ଡାକଘରେ ‘ଦେଶର ପ୍ରଥମ ଡାକଘର’ ବୋର୍ଡ ଲଗାଯାଇଛି । ସୂଚନାଯୋଗ୍ୟ ପୂର୍ବରୁ ଏହି ଡାକଘରକୁ ଦେଶର ଶେଷ ଡାକଘର କୁହାଯାଉଥିଲା, କାରଣ ଏହାପରେ ନିୟନ୍ତ୍ରଣ ରେଖା ଆରମ୍ଭ ହେଉଥିବାରୁୁ ଚିଠିପତ୍ର ଦେବା ଆଣିବା ସମ୍ଭବ ହେଉନଥିଲା । ତେବେ ସେନା ପକ୍ଷରୁ ଏହାକୁ ପ୍ରଥମ ଡାକଘର ମାନ୍ୟତା ଦିଆଯାଇଛି ।
ଏପରିକି ୧୯୬୫ ଓ ୧୯୭୧ ଭାରତ-ପାକ୍ ଯୁଦ୍ଧ ସମୟରେ ଏହି ଡାକଘର କାର୍ଯ୍ୟ କରୁଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ୧୯୯୩ରେ କେରନ୍ ସେକ୍ଟରରେ ପ୍ରବଳ ବନ୍ୟା ଯୋଗୁଁ ଏହି ଡାକଘର ଭାସିଯାଇଥିଲା । ଫଳରେ ପୋଷ୍ଟମାଷ୍ଟରଙ୍କ ଘରେ ଡାକଘର ଅସ୍ଥାୟୀଭାବେ କାର୍ଯ୍ୟ କରୁଥିଲା । ପରବର୍ତ୍ତୀ ସମୟରେ ସ୍ଥିତି ସ୍ୱାଭାବିକ ହେବାପରେ ଏହା ପୁଣି ପୁରୁଣା ସ୍ଥାନକୁ ଫେରିଥିଲା । ବର୍ତ୍ତମାନ ଏହି ଡାକଘରେ ପୋଷ୍ଟମାଷ୍ଟର ଓ ୩ ଜଣ ଡାକପିଅନ କାର୍ଯ୍ୟ କରୁଛନ୍ତି ।