ଟାଲିନ: ଇସ୍ତୋନିଆର ମହିଳା ଟେନିସ୍ ଖେଳାଳି ଆନେଟ୍ କୋଣ୍ଟାଭିଟ୍ ମଙ୍ଗଳବାର ତାଙ୍କ କ୍ୟାରିଅର୍ରେ ପୂର୍ଣ୍ଣଚ୍ଛେଦ ପକାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । କ୍ରମାଗତ ଭାବେ ପିଠି ଯନ୍ତ୍ରଣାଜନିତ ସମସ୍ୟାରେ ଜର୍ଜରିତ ହୋଇଆସୁଥିବା କାରଣରୁ କୋଣ୍ଟାଭିଟ୍ ଆସନ୍ତା ମାସରେ ଖେଳାଯିବାକୁ ଥିବା ସିଜନ୍ର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ୱିମ୍ବଲଡନ୍ ଓପନ୍ ଖେଳିସାରିବା ପରେ ପେସାଦାର ଟେନିସ୍ରୁ ଅବସର ନେବେ ।
ଆଘାତଜନିତ କାରଣରୁ ବିଶ୍ୱର ଏହି ପୂର୍ବତନ ଦ୍ୱିତୀୟ ର୍ୟାଙ୍କ୍ର ଖେଳାଳି ଗତ ବର୍ଷ ଅକ୍ଟୋବରରେ ହିଁ ତାଙ୍କର ସିଜନ୍ ଶେଷ କରିଥିଲେ । ସେହିପରି ଗତ ଫେବୃଆରୀରେ ମଧ୍ୟ ସେ ସୁସ୍ଥ ହେବା ସକାଶେ ଦୁଇ ମାସ ପାଇଁ ବ୍ରେକ୍ ନେଇଥିଲେ । କିନ୍ତୁ ତାଙ୍କ ଆଘାତଜନିତ ସମସ୍ୟା ପିଛା ଛାଡ଼ୁ ନ ଥିବାରୁ ମାତ୍ର ୨୭ ବର୍ଷ ବୟସରେ କୋଣ୍ଟାଭିଟ୍ ଅବସର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି ।
ଏକାଧିକ ଡାକ୍ତରଙ୍କ ସହ ପରାମର୍ଶ କରିବା ପରେ ତାଙ୍କର ଆଘାତଜନିତ ସ୍ଥିତି ତାଙ୍କୁ ନିୟମିତ ଅଭ୍ୟାସ ପାଇଁ ଅନୁମତି ଦେଉନଥିବାରୁ ସେ ଟେନିସ୍ କୋର୍ଟଠାରୁ ସବୁଦିନ ପାଇଁ ଦୂରେଇଯିବାକୁ ନିଷ୍ପତ୍ତି ନେଇଥିବା କୋଣ୍ଟାଭିଟ୍ ଟ୍ୱିଟ୍ କରି କହିଛନ୍ତି ।
ସୂଚନାଯୋଗ୍ୟ ଯେ ସମ୍ପ୍ରତି ଡବ୍ଲ୍ୟୁଟିଏ ର୍ୟାଙ୍କିଙ୍ଗ୍ରେ ୭୯ତମ ସ୍ଥାନରେ ଥିବା କୋଣ୍ଟାଭିଟ୍ ଗତ ଅଷ୍ଟ୍ରେଲିଆନ୍ ଓପନ୍ରେ ଦ୍ୱିତୀୟ ରାଉଣ୍ଡ୍ରୁ ବିଦାୟ ନେଇଥିଲେ । ଏହାଛଡ଼ା ଗତ ମେ’ରେ ଫ୍ରେଞ୍ଚ୍ ଓପନ୍ର ପ୍ରଥମ ରାଉଣ୍ଡ୍ରୁ ବିଦାୟ ନେବା ପରଠାରୁ କୋଣ୍ଟାଭିଟ୍ ଆଉ କୌଣସି ମ୍ୟାଚ୍ ଖେଳିନାହାନ୍ତି ।